ସୁଭଦ୍ରା ଶକ୍ତି ମେଳାରେ ଓଡ଼ିଶା ପାରମ୍ପରିକ ସ୍ଵାଦର ମହକ

ମନମୋହୁଛି ବାରିପଦା ମୁଢ଼ି ମାଂସ ସାଙ୍ଗକୁ କେନ୍ଦୁଝର ପତ୍ର ପୋଡ଼ା

ଓଡ଼ିଶାର ସମୃଦ୍ଧ ଐତିହ୍ୟ, କାରିଗରୀ ଏବଂ ମହିଳା ନେତୃତ୍ୱାଧୀନ ଉଦ୍ୟୋଗର ଅଦ୍ଭୁତପୂର୍ବ ପ୍ରଦର୍ଶନ

ଭୁବନେଶ୍ୱର, ୦୭/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ୩୦୦ରୁ ଅଧିକ ଷ୍ଟଲ୍ ସହିତ, ଏହି ମେଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ପାଇଁ ହସ୍ତତନ୍ତ, ହସ୍ତଶିଳ୍ପ, ଜୈବିକ ଉତ୍ପାଦ, ଘରୋଇ ସାମଗ୍ରୀ ସମେତ ମା’ ମାନଙ୍କ ହାତ ତିଆରି ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏକ ବୃହତ ମଞ୍ଚ ସାଜିଛି।

ମେଳାର ଆକର୍ଷଣ ମଧ୍ୟରେ ମା’ ମାନଙ୍କ ଦ୍ବାରା ପ୍ରସ୍ତୁତ ପାରମ୍ପରିକ ଓଡ଼ିଆ ଖାଦ୍ୟର ସମ୍ଭାର – “ସୁଭଦ୍ରା ଶକ୍ତି ମେଳା ଫୁଡ୍ କୋର୍ଟ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ଭାବରେ ଉଭା ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମା’ ଓ ଭଉଣୀ ମାନେ ୫୦ଟି ସ୍ଵତନ୍ତ୍ର ଷ୍ଟଲରେ ନିଜ ହାତ ତିଆରି ଓଡ଼ିଆ ପାରମ୍ପରିକ ବ୍ୟଞ୍ଜନର ପ୍ରକୃତ ସ୍ବାଦକୁ ପୁନର୍ଜୀବିତ କରିଛନ୍ତି। ଯେଉଁଠାରେ ଦର୍ଶକମାନେ ପିଠା ଠାରୁ ଆରମ୍ଭ କରି ସ୍ନାକସ୍ ପର୍ଯ୍ୟନ୍ତ ସବୁ ଖାଦ୍ୟର ମଜା ନେଉଛନ୍ତି। ଯୁବ ପିଢିମାନେ ମଧ୍ୟ ଏହି ପାରମ୍ପରିକ ସ୍ୱାଦର ମଜା ନେଉଛନ୍ତି।

ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାର ନିଜର ପରମ୍ପରା ଏବଂ ଖାଦ୍ୟର ପରିଚୟ ରହିଛି। ସାରା ଓଡ଼ିଶାରେ ଏପରି ଏକ ପ୍ରିୟ ଖାଦ୍ୟ ହେଉଛି ମୟୂରଭଞ୍ଜର ମୁଢ଼ି ମାଂସ ଯାହା ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି । ମୟୁରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ମୟୂର ମୁଢ଼ି ଉତ୍ପାଦକ ଗ୍ରୁପ୍ ଦ୍ବାରା ପ୍ରସ୍ତୁତ ଏହି ମୁଢ଼ି ମାଂସ। ଏହାସହିତ କେନ୍ଦୁଝରର ପତ୍ରପୋଡା, ସମ୍ବଲପୁରର ସରସତିଆ, ନିମାପଡ଼ାର ଛେନା ଝିଲ୍ଲି, ମାଣ୍ଡିଆ ପିଠା, ମିଲେଟ୍ ନୁଡଲ୍ସ ଲୋକଙ୍କ ମନ ଜିଣୁଛି ।  ଏସ୍.ଏଚ୍.ଜି-ନେତୃତ୍ବାଧୀନ ଖାଦ୍ୟ ଉଦ୍ୟୋଗର ଲୋକପ୍ରିୟତାକୁ ପ୍ରମାଣିତ କରୁଛି ।

ସୁଭଦ୍ରା ଶକ୍ତି ମେଳାର ସପ୍ତମ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଘ ନାଚ ସହିତ ବର୍ଣ୍ଣାଳୀ ହୋତାଙ୍କ ସଙ୍ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିଲା ଆଜି ସୁଦ୍ଧା ୪ କୋଟି ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଥିଲା। ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଜୀବନ୍ତ ମଞ୍ଚ ଭାବେ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *