କେନ୍ଦ୍ରାପଡ଼ା, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ସହଭାଗିତାରେ ଆୟୋଜିତ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଜିଲାପାଳ ଅମ୍ରିତ୍ ଋତୁରାଜ ଏହାକୁ ଉଦ୍ଘାଟନ କରି କହିଛନ୍ତି “ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀ ଓ ଚିତ୍ରପ୍ରେମୀଙ୍କ ଭିତରେ ଚିତ୍ରକଳା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସୃଜନର କାନଭାସ୍ରେ ନୂଆ ଚିତ୍ର ଆଙ୍କିବାକୁ ସେମାନଙ୍କୁ ପ୍ରେରଣା ଯୋଗାଇଦେବ ।” ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ସକାଳ ୧୧ଟାରୁ ୬ଟା ମଧ୍ୟରେ ଜନସାଧାରଣ ଏହି ପ୍ରଦର୍ଶନୀ ବୁଲି ଉପଭୋଗ କରିପାରିବେ । ସୂଚନାଯୋଗ୍ୟ ଯେ ଓଡ଼ିଶା ଚାରୁକଳାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ବିଭିନ୍ନ ଜିଲାରେ “ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ” ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ଖ୍ୟାତନାମା ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଯତୀନ ଦାସ, ଅନନ୍ତ ପଣ୍ଡା, ଅଜିତ କେଶରୀ ରାୟ, ବିଭୂତି କାନୁନଗୋ, ରବିନାରାୟଣ ନାୟକ ପ୍ରମୂଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ୍ ୪୦ଟି ଚିତ୍ରକଳା ସ୍ଥାନ ପାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅମ୍ବରୀଶ ସାମଲ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲା କାର୍ଯ୍ୟାଳୟର ସେକ୍ସନ୍ ଅଧିକାରୀ ଦିବାକର ମହାନ୍ତି, ସଂସ୍କୃତି ବିଭାଗ କନିଷ୍ଠ ରାଜସ୍ୱ ସହାୟକ ଉମେଶ ଚନ୍ଦ୍ର ବେହେରା, ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଜିଲା କାର୍ଯ୍ୟାଳୟର ବହୁ କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ ।