ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬

​ଯାଜପୁର, ୦୯/୧୦/୨୦୨୬(ଓଡ଼ିଶା ସମାଚାର)-ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ  ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ଦ୍ୱାରା ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬  ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

​ଏହି ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁରର ଅତରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଆଲୋକ କୁମାର ବନ୍ଧଙ୍କ ଅଧକ୍ଷତାରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ଯାଜପୁର ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସୁରମା ମହାପାତ୍ର ଉଦଘାଟକ ତଥା ମୁଖ୍ୟଅତିଥି, ଅନ୍ୟତମ ଅତିରିକ୍ତ ଜିଲ୍ଲାଶିକ୍ଷାଧିକାର ଶ୍ରୀମତୀ ସବିତା ସାହୁ ସମ୍ମାନିତ ଅତିଥି ବିଜ୍ଞାନ ନିରୀକ୍ଷକ ତଥା ଜୋନାଲ ସଂଯୋଜକ ରୂପେ ଶ୍ରୀ କୁମାରସେନ ସେନାପତି ଏବଂ ଦୁଇ ବିଚାରକ ତଥା ସ୍ୱତନ୍ତ୍ର ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ଼. ଆଶୁତୋଷ ବଳ ଓ ଆହ୍ୱାନ ଥିଏଟରର ବରିଷ୍ଠ କଳାକାର ବିଶ୍ୱଜିତ ସାହୁ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୬ ଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ା,କଟକ, ପୁରୀ, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର  ଜିଲ୍ଲାରୁ ଚୟନ ହୋଇଥିବା ଶ୍ରେଷ୍ଠ  ନାଟକ ଗ୍ରୁପ ଏହି ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।ପ୍ରତ୍ୟେକ ଗ୍ରୁପରେ ୮ଜଣ ଲେଖାଏଁ ଛାତ୍ରଛାତ୍ରୀ ସହ ସେମାନଙ୍କର ଦୁଇ ସହଯୋଗୀ ଶିକ୍ଷକ ଯଥା ନିର୍ଦ୍ଦେଶକ ଏବଂ ସଂଳାପ ଲେଖକ ରୂପେ ଯୋଗଦାନ କରିଥିଲେ ।

“ବିଜ୍ଞାନ ଓ ସମାଜ” ବିଷୟ ବସ୍ତୁ ଉପରେ  ପ୍ରତଯୋଗୀମାନେ ସୁନ୍ଦର ଅଭିନୟ ମାଧ୍ୟମରେ ବିଚାରକଙ୍କ ନିକଟରେ ଉପସ୍ଥାପନା କରିଥିଲେ । ସମୁଦ୍ର ପରିସଂସ୍ଥାର ପୁନଃରୁଦ୍ଧାର, ଆଗାମୀ ଦିନରେ ବୈଦ୍ୟୁତିକ ଯାନର ଆବଶ୍ୟକତା, କୁତ୍ରିମ ବୁଦ୍ଧିମତା ବ୍ୟବହାରର ସଦୁପଯୋଗ, ଜଳବାୟୁ ପରିବର୍ତ୍ତନର କୁପରିଣାମ ଓ ତତ ସମ୍ବନ୍ଧୀୟ ସଚେତନତା ଆଦି ବିଷୟବସ୍ତୁ ଉପରେ ଅତି ଚମତ୍କାର ଓ ନିକ୍ଷୁଣ ଅଭିନୟ ମାଧ୍ୟମରେ ନାଟକମାନ ପରିବେଷଣ କରିଥିଲେ ।ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିବା ନାଟକ ଖୁବ ଶିକ୍ଷଣୀୟ, ମନୋରମ ଓ ସମାଜ ଉପଯୋଗୀ ଥିଲା ।

ଉକ୍ତ ନାଟକ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଗାନ୍ଧିଜୀ ବିଦ୍ୟାପୀଠ, ଗୋଜବନ୍ଧ ପ୍ରଥମ ସ୍ଥାନ, ଖୋର୍ଦ୍ଧା ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ,ଗଙ୍ଗପଡା ଦ୍ୱିତୀୟ ସ୍ଥାନ ଓ କଟକ ଜିଲ୍ଲାର ରେଭେନ୍ସା କଲିଜିଏଟ ତୃତୀୟ ସ୍ଥାନ ହାସଲ କରିଥିଲେ । ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରତିଯୋଗୀ ଓ ସେମାନଙ୍କର ସହାୟକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଂଶଗ୍ରହଣ ସ୍ୱରୂପ ପ୍ରମାଣ ପତ୍ର ଦେବା ସହ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟ ଯାଜପୁର ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜୋନାଲ ସଂଯୋଜକ ଶ୍ରୀ ସେନାପତି ଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା ।

ହାଜିରାହୀ ମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲା ବେଳେ କ୍ଷେତ୍ରପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରକାଶ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଦିବ୍ୟଲୋଚନ ମହାପାତ୍ର, ଚିନ୍ମୟ ରଥ, ଶିବବ୍ରତ ପାଣି, ବିଷ୍ଣୁ ଚରଣ ସାହୁ, ଶୈଳଜା ବାରିକ, ସୁଧୀର କୁମାର ସାମଲ, ପ୍ରମୋଦ କୁମାର ମିଶ୍ର, ଶୁଭ୍ରାଂଶୁ ନାୟକ, ମାନସ ରଞ୍ଜନ ସ୍ୱାଇଁ ଓ ଯାଜପୁର ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ସେନାପତି ଶିକ୍ଷକ ରାଧାରମଣ ମହାରଣା, ରଜତ କମଲ, ଶିକ୍ଷୟତ୍ରୀ ସାଲୋନୀ ଅଗ୍ରୱାଲ ଓ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

ଜୋନରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡ଼ାର ଗାନ୍ଧିଜୀ ବିଦ୍ୟାପୀଠ ରାଜ୍ୟ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ମନୋନୀତ ହେଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *