‘ସେବା ସେତୁ’ ଅଭିଯାନରେ ଧର୍ମଶାଳାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର,୨୮/୦୯/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସେବା ସେତୁ’ ଅଭିଯାନ ଅବସରରେ ଆଜି ଧର୍ମଶାଳା ବ୍ଲକ ପରିସରରେ ଯୁଗ୍ମ ଜନଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ ସାଧାରଣ ଜନତାଙ୍କ ବିଭିନ୍ନ ଆପତ୍ତି, ଅଭିଯୋଗ ଓ ସମସ୍ୟାର ଶୁଣାଣି କରିଥିଲେ।

ଶିବିରରେ ଧର୍ମଶାଳା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସମସ୍ୟା ସମ୍ପର୍କରେ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଅଭିଯୋଗଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବା ସହ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗଗୁଡ଼ିକର ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

 ଆଜି ମୋଟ ୧୦୩ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୪୧ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ ୦୨ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୬୦ ଗୋଟି  ଅଭିଯୋଗର ଶୁଣାଣି  କରାଯାଇଥିଲା। ୬୨ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା।

ଏହି ଅବସରରେ ଦିବ୍ୟାଙ୍ଗ ହିତାଧିକାରୀ ନିରଞ୍ଜନ ବେହେରା, ପିତା – ରତନ ବେହେରା, ଗ୍ରାମ – ପୁରୁଣାବଉଳମାଳ ଙ୍କୁ ଶ୍ରବଣ ଯନ୍ତ୍ର ଏବଂ ଅଭିମନ୍ୟୁ ବେହେରା, ପିତା – ପୁରସ୍ତମ ବେହେରା, ଗ୍ରାମ – ଚୋରମୁହାଁ ଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଥିଲା।

 ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ  ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ  ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ନଗେନ୍ଦ୍ର ନାଥ ମହାପାତ୍ର, ଉପଜିଲ୍ଲାପାଳ  ତାପସ ରଞ୍ଜନ ଦେହୁରୀ, ଡେପୁଟି କଲେକ୍ଟର ସାରସ୍ୱତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଧର୍ମଶାଳା ଜ୍ୟୋତିର୍ମୟ କର, ତହସିଲଦାର ଧର୍ମଶାଳା ସମୀର ରଞ୍ଜନ ଦାଶ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *