ଯାଜପୁର,୦୭/୧୦/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶାରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସ୍ୱଚ୍ଛ, ଅଦ୍ୟତନ ଓ ନାଗରିକକେନ୍ଦ୍ରିକ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଯାଜପୁର ଜିଲ୍ଲାରେ ଘରକୁ ଘର ବୁଲି ସର୍ବେକ୍ଷଣ କାର୍ଯ୍ୟ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ତାଲିକାରେ ନୂତନ ଭୋଟରଙ୍କୁ ସାମିଲ କରିବା, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ତଥ୍ୟ ଅଦ୍ୟତନ କରିବା ସହ ତାଲିକାକୁ ତ୍ରୁଟିମୁକ୍ତ କରିବା ଉପରେ ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ବିଞ୍ଝାରପୁର ବିଡିଓ ଶ୍ରୀମତୀ ଛବିରାଣୀ ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଭରତ କୁମାର ବେହେରା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ସୌରଭ ପାଳଙ୍କ ସମେତ ସୁପରଭାଇଜରମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବିଡିଓ, ଏବିଡିଓ, ଜିପିଡିଓ, ୨ ଜଣ ବିଏଲ୍ଓ ସୁପରଭାଇଜର ଏବଂ ୧୦ ଜଣ ପିଇଓ ତାଲିମ ଗ୍ରହଣ କରିଥିଲେ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ, ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ୦୮.୧୦.୨୦୨୬ରୁ ୧୬.୧୦.୨୦୨୬ ମଧ୍ୟରେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏହାପରେ ପ୍ରଶିକ୍ଷିତ କର୍ମଚାରୀମାନେ ଘରକୁ ଘର ବୁଲି ସର୍ବେକ୍ଷଣ କରି ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ଅଦ୍ୟତନ ଓ ତ୍ରୁଟିମୁକ୍ତ କରିବା ଦିଗରେ କାର୍ଯ୍ୟ କରିବେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
