ଦୀର୍ଘ ୮ ବର୍ଷ ପରେ ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ, ୧୬ରେ ଶପଥଗ୍ରହଣ

ଭୁବନେଶ୍ୱର,୦୫/୧୦/୨୦୨୬(ଓଡ଼ିଶା ସମାଚାର)- ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।  ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ବିଭିନ୍ନ ମହାବିଦ୍ୟାଳୟ ଓ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଚର୍ଚ୍ଚା ଜୋର ଧରିଛି।

ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦଶହରା ଛୁଟି ପୂର୍ବରୁ ହେବ ଛାତ୍ର ସଂସଦ ନିର୍ବାଚନ ।

ତେବେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ କେତେକ ନିୟମ ଓ ସର୍ତ୍ତାବଳୀ ରହିଛି । UG ଛାତ୍ରୀଛାତ୍ରଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ । ସେହିପରି PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଜରୁରୀ । ସେହିପରି ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ ।

ସେହିପରି ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା ଆବଶ୍ୟକ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପ୍ରାର୍ଥୀ ହୋଇପାରିବେ ନାହିଁ ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବ ।  ଅତିକମରେ ୭୫% କ୍ଲାସ୍ ଉପସ୍ଥାନ ଥିବା ଆବଶ୍ୟକ । ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ । କହିରଖୁଛୁ କି, ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ। ତେବେ ନିର୍ବାଚନ ତାରିଖ ଘୋଷଣା ପରେ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇ ପଡ଼ିଛି ।

ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ୭ ତାରିଖରେ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ନିର୍ବାଚନ ପ୍ରକ୍ରିୟାର ଅନ୍ୟାନ୍ୟ ଔପଚାରିକତା ସମ୍ପନ୍ନ ହେବା ପରେ ୧୫ ତାରିଖରେ ଭୋଟ୍‌ଗ୍ରହଣ କରାଯିବ। ଭୋଟ୍‌ ଶେଷ ହେବା ପରେ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଘୋଷଣା ହେବା ପରେ କ୍ୟାମ୍ପସ ପରିସରରେ ରାଜନୈତିକ ଓ ଛାତ୍ର ସଙ୍ଗଠନଗୁଡ଼ିକର ତତ୍ପରତା ବଢ଼ିଛି। ସମ୍ଭାବ୍ୟ ପ୍ରାର୍ଥୀମାନେ ସମର୍ଥନ ଯୋଗାଡ଼ ପାଇଁ ସହପାଠୀଙ୍କ ସହ ଆଲୋଚନା ଆରମ୍ଭ କରିଥିବାବେଳେ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି।

 ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡ଼ା କଟକଣା ଲାଗୁ କରାଯାଇଛି। ନିର୍ଦ୍ଧାରିତ ନିୟମ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନରେ ଖର୍ଚ୍ଚ କରିପାରିବେ। ଏହାଠାରୁ ଅଧିକ ଖର୍ଚ୍ଚ କଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯାଇପାରେ।ନିର୍ବାଚନ ଫଳାଫଳ ଘୋଷଣା ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କୁ ନିଜର ସମସ୍ତ ନିର୍ବାଚନୀ ଖର୍ଚ୍ଚର ହିସାବ ଦାଖଲ କରିବାକୁ ପଡ଼ିବ। ଏହି ହିସାବ ସମ୍ପୃକ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ। ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ଖର୍ଚ୍ଚର ବିବରଣୀକୁ କଲେଜ କର୍ତ୍ତୃପକ୍ଷ ଦୁଇ ଦିନ ମଧ୍ୟରେ HIMS Portalରେ ପ୍ରକାଶ କରିବେ।

ନିର୍ବାଚନୀ ଖର୍ଚ୍ଚରେ ସ୍ୱଚ୍ଛତା ରକ୍ଷା ପାଇଁ ଅର୍ଥର ଉତ୍ସକୁ ନେଇ ମଧ୍ୟ କଡ଼ା ନିୟମ ରହିଛି। କୌଣସି ରାଜନୈତିକ ଦଳଠାରୁ ଟଙ୍କା କିମ୍ବା ଆର୍ଥିକ ସହାୟତା ଗ୍ରହଣ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପ୍ରାର୍ଥୀମାନେ କେବଳ ସ୍ୱେଚ୍ଛାକୃତ ଅବଦାନ ମାଧ୍ୟମରେ ଅର୍ଥ ସଂଗ୍ରହ କରିପାରିବେ। ଏହା ବ୍ୟତୀତ ଅନ୍ୟ କୌଣସି ଉତ୍ସରୁ ଟଙ୍କା ଗ୍ରହଣ କରିବାକୁ ଅନୁମତି ନାହିଁ।

Leave a Reply

Your email address will not be published. Required fields are marked *