ଭୁବନେଶ୍ୱର,୦୪/୧୦/୨୦୨୬(ଓଡ଼ିଶା ସମାଚାର)- ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚ (ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସର)ଠାରେ ‘ରୂପାୟନ ଟ୍ରଷ୍ଟ’ ଏବଂ ‘ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ’ ପକ୍ଷରୁ ମିଳିତ ଭାବେ ପବିତ୍ର ଗାନ୍ଧୀ ଜୟନ୍ତୀ ଦିବସ କୁ ବେଶ୍ ଗାମ୍ଭୀର୍ଯ୍ୟ ଓ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି।
ଏହି ଅବସରରେ ରୂପାୟନର ସଂସ୍ଥପିକା ଡ଼ ଶ୍ରଦ୍ଧାଂଜଳି ରାୟ ଙ୍କ ସହ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ସକାଳୁ ସକାଳୁ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମବେତ ରାମଧୂନ ଗାନ କରି ବାପୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନୁଷ୍ଠିତ ଏହି ମହତ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ରାୟ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ ଓ ମାନବ ସେବାର ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ବାପୁଙ୍କ ଦର୍ଶନ ଆଜିର ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ। ରୂପାୟନ ଟ୍ରଷ୍ଟ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ସଦାସର୍ବଦା ଗରିବ ଓ ଅସହାୟଙ୍କ ସେବା ସହ କଳା, ସଂସ୍କୃତି ଓ ସାହିତ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛି ଏବଂ ଆଗକୁ ମଧ୍ୟ ଗାନ୍ଧୀଜୀଙ୍କ ସେବା ମନୋଭାବକୁ ପାଥେୟ କରି ଏହି ଧାରା ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସନ୍ଧ୍ୟା ୭ଟା ସମୟ ରେ ଆରମ୍ଭ ହୋଇଥିଲା ‘ମହାତ୍ମା ଗାନ୍ଧୀ ସଦଭାବନା ସମ୍ମାନ ଉତ୍ସବ ୨୦୨୬ । ଅତିଥି ଭାବେ ସାହିତ୍ୟ ଜଗତର ଭୀଷ୍ମ ପିତାମହ ତଥା ପ୍ରଖ୍ୟାତ କଥାକାର ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ , ଉଦ୍ଘାଟକ ଭାବେ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଶିଶିର ମିଶ୍ର, ମୂଖ୍ୟ ଅତିଥୀ ଭାବେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଶ୍ରୀ ଦାଶ ବେନହୁର, ମୁଖ୍ୟ ବକ୍ତା ଭାବେ ପ୍ରଶାସକ ଶ୍ରୀ ଅଜିତ ପଟ୍ଟନାୟକ ଏବଂ ସମାଜସେବୀ ଭାରତେନ୍ଦୁ ଦାସ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତ ରଖିଥିଲେ।
ପରେ ମହାତ୍ମା ଗାନ୍ଧୀ ସଦଭାବନା ସମ୍ମାନ ୨୦୨୬ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ବିଶିଷ୍ଟ ସମାଜସେବୀ ଶ୍ରୀ ଅଚ୍ୟୁତ ଦାସ ସମ୍ମାନିତ କରାଗଲା।
ସାହିତ୍ୟ ପାଇଁ ଶ୍ରୀ ସିତେଶ ତ୍ରିପାଠୀ, ସାମ୍ବାଦିକତା ପାଇଁ ଶ୍ରୀ ଅନୁପମ ପ୍ରହରାଜ, ଶିକ୍ଷା ପାଇଁ ଶ୍ରୀ ତାପସ ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ ଶ୍ରୀ ଦିଲୀପ ପଣ୍ଡା ଏବଂ କଳା ଓ ସଂସ୍କୃତି ପାଇଁ ଖ୍ୟାତିନାମା ନୃତ୍ୟ ଶିଳ୍ପୀ ଡ଼ ଗାୟତ୍ରୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଗୌରବମୟ ସମାରୋହରେ ବହୁ ପ୍ରମୁଖ ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ସଂଜୟ ଭଟ୍ଟ ଆଦି ‘ରୂପାୟନ’ ପରିବାରର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।
ଏହି ସ୍ମରଣୀୟ ଅବସରରେ ଉଭୟ ଅନୁଷ୍ଠାନର ବହୁ ମାନ୍ୟଗଣ୍ୟ ସଦସ୍ୟ, ଶିଳ୍ପୀ ସାହିତ୍ୟିକ, ସଂଗୀତଜ୍ଞ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଜାତିର ପିତାଙ୍କ ସ୍ମୃତିଚାରଣ କରିବା ସହ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ନେଇଥିଲେ।
