ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ ହବିଷ୍ୟାଳୀ ଉତ୍ସବ ଉଦଘାଟିତ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- ପବିତ୍ର ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ତଥା କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ତଥା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ଆଜି କାର୍ତିକ ହବିଷ୍ୟାଳୀ ବ୍ରତ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ମନ୍ଦିର ପରିସରରେ ଥିବା ଝୁଲଣ ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ କେଆରବାଙ୍କ ମଠର ମହନ୍ତ ସ୍ୱାମୀ ଶିବନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶତାଧିକ ହବିଷ୍ୟାଳୀଙ୍କୁ ଭାଗବତ ଗୀତା ଉପରେ ବହୁ ମୂଲ୍ୟବାନ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ନିକିରାଇ ମଠର ମହନ୍ତ ବାବା ଅଭୟ ଦାସ, ଓସ୍ତପୁର ମଠର ମହନ୍ତ କୃପାସିନ୍ଧୁ ବାବା ଏବଂ ଫୋରଡ ମଠର ମହନ୍ତ ବାବା ହୃଷିକେଶ ଦାସ ପ୍ରମୁଖ ଯୋଗଦେଇ କାର୍ତିକ ପଂଚୁକ ହବିଷ୍ୟାଳୀ ବ୍ରତ ପାଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଶ୍ରମ ପକ୍ଷରୁ ବିଗତ ୫ବର୍ଷ ହେଲା ହବିଷ୍ୟାଳୀ ବ୍ରତର ଆୟୋଜନ କରାଯାଇ ଆସୁଅଛି । ଶେଷରେ ଭାଗୀରଥି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ହବିଷ୍ୟାଳୀମାନେ ଶ୍ରୀଜୀଉଙ୍କ ମନ୍ଦିର ପରିସରରେ ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି କରିବା ପରେ ଝୁଲଣ ମଣ୍ଡପରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାପରେ ଭଜନ ଓ କୀର୍ତନ କରି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଶେଷ କରି ବିଶ୍ରାମ ନେଇଥିଲେ । ସନ୍ଧ୍ୟାରେ ହବିଷ୍ୟାଳୀମାନେ ଶ୍ରୀଜୀଉଙ୍କ ଝୁଲଣ ମଣ୍ଡପରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ହବିଷ୍ୟାଳୀ ମହିଳା ଯୋଗଦେଇ ରୀତିନୀତି ଅନୁଯାୟୀ ଈଶ୍ୱର ଆରାଧନା କରିବା ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଉତ୍ସବ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ସାତଦିନ ଧରି ଶ୍ରୀମା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଦିନ ବହୁ ସାଧୁସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମା’ଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ରହିବା ପାଇଁ ଯାତ୍ରୀନିବାସରେ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ ପ୍ରଭୃତି ସମ୍ପର୍କରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡଃ. ଅପର୍ଣ୍ଣା ମହାନ୍ତି, ନିଆଳ ଆଶ୍ରମର ସଚିଦାନନ୍ଦ ଜେନା ଓ ରାଜେନ୍ଦ୍ର ନାରାୟଣ ରାୟ, ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ଶ୍ରୀବଳଦେବଜୀଉ ଦେବୋର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ବଳରାମ ସୁଆର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ବଳଦେବ ସେନାର ପୁପୁନ ସ୍ୱାଇଁ, ଅମର ବାରିକ, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ପ୍ରତୀକ ଦାସ, ଜ୍ଞାନରଞ୍ଜନ ସାହୁ, ରୀତାଞ୍ଜଳି ନାଥ, ଦୈା୍ରପଦୀ ରାଉତ, ପ୍ରାକ୍ତନ କପାଳେଶ୍ୱର ସରପ ଗାୟତ୍ରୀ ମହାନ୍ତି, ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *