ଭୁବନେଶ୍ୱର,୦୮/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବିଚ୍ଛିନ୍ନାଂଚଳରେ ଜନ୍ମିତ ବାରିପଦା ନିବାସୀ ବରିଷ୍ଠ ଆଇନଜୀବୀ ତଥା ଷଢେଇକଳାରେ ଛାତ୍ର ଆନ୍ଦୋଳନ ସମୟର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ୯୪ ବର୍ଷୀୟ ବୟସ୍କ ଶ୍ରୀ ସୁମନ୍ତ ନାଥ ଜ୍ୟୋତିଷୀଙ୍କ ଆତ୍ମଜୀବନୀମୂଳକ ‘ଦି ଗୋଲଡେନ ଦିଲ୍ଲୀ ଡାଏରୀ’ର ଦ୍ୱିତୀୟ ସଂସ୍କରଣ ଅନୁଗୁଳର ଅମଲାପଡ଼ା ଠାରେ ଏକ ସୁସ୍ଥା ପରିବେଶ ମଧ୍ୟରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ସତ୍ୟବ୍ରତ ମିଶ୍ର ଶ୍ରୀ ଜ୍ୟୋତିଷୀଙ୍କର ସଂଘର୍ଷମୟ ସାମାଜିକ ଜୀବନର ଅବତାରଣା କରିଥିଲେ । ଏହି ପୁସ୍ତକର ସମ୍ପାଦନା ଓ ମୁଦ୍ରଣ ପାଇଁ ଜୟଲକ୍ଷ୍ମୀ ତ୍ରିପାଠୀ ଶ୍ରୀ ମିଶ୍ରଙ୍କ ଏପରି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ହେବା, ବ୍ରିଟିଶ ଓ ଆମ ଦେଶ ଭାରତର କିଛି ନେତାଙ୍କ ରଚିତ ହତ୍ୟା ଷଡ଼ଯନ୍ତ୍ର ହୋଇଛି ବୋଲି ଲେଖକ ମତପ୍ରକାଶ କରିଥିଲେ । ଓଡ଼ିଶାର ଡଃ ହରେକୃଷ୍ଣ ମହତାବ, ତାଙ୍କ ବିହାର ବନ୍ଧୁ ଶ୍ରୀକୃଷ୍ଣ ସିହ୍ନା, ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଯୋଗୁ ଲେଖକଙ୍କ ଜନ୍ମସ୍ଥାନ ଷଢେଇକଳା, ଖରସୁଆଁ ଓ ସିଂହଭୂମି ଅଂଚଳ ଓଡ଼ିଶାରେ ମିଶିପାରିଲା ନାହିଁ ବୋଲି କ୍ଷୋଭ ପ୍ରକାଶ କରିବା ସହିତ ସ୍ଥାନୀୟ ଓଡ଼ିଆ ନିବାସୀ ଭଲରେ ଅଛନ୍ତି ବୋଲି କହିଥିଲେ ।
ଏପରି ପ୍ରଚଳିତ ବ୍ୟବସ୍ଥା ଯୋଗୁଁ ଘୋର ଅସନ୍ତୋଷ ପ୍ରକାଶ କରି ଲେଖକ ଜ୍ୟୋତିଷୀ ସାଧାରଣ ନିର୍ବାଚନରେ ଭାଗ ନେଇନାହାଁନ୍ତି କି ଭୋଟ ଖଣ୍ଡିଏ ଦେଇ ନାହାଁନ୍ତି । ଅନ୍ୟ ଏକ ଅନାଲୋଚିତ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରି କୃପା ପାର୍ଟି ସଦସ୍ୟ ରାଜେନ୍ଦ୍ର ନାରାୟଣ ଆଚାର୍ଯ୍ୟ ଜଣାଇଥିଲେ ଯେ, ଏହି ପୁସ୍ତକର ଦ୍ୱିତୀୟ ଭାଗ ଏକ ସୁଦୀର୍ଘ ଖୋଲା ଚିଠି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖା ଯାଇଥିବା ଏହି ମୁକ୍ତ ପତ୍ରରେ ଭାରତର ରାଷ୍ଟ୍ରୀୟ ଗ୍ରନ୍ଥ ରୂପେ ‘ଚରମ’ ସାହିତ୍ୟକୁ କେନ୍ଦ୍ର ସରକାର ଆଇନଗତ ମାନ୍ୟତା ଦେବା ପାଇଁ ପ୍ରୟାସ କରିବା ଆବଶ୍ୟକ । ଏହି ମର୍ମରେ ଶ୍ରୀ ଜ୍ୟୋତିଷୀଙ୍କର ଏକ ପ୍ରସ୍ତାବ ରିହଛି ବୋଲି ଶ୍ରୀ ଆଚାର୍ଯ୍ୟ ଉଲ୍ଲେଖ କରିଥିଲେ । ଶ୍ରୀ ଜ୍ୟୋତିଷୀଙ୍କ ଧର୍ମପତ୍ନୀ ସବିତାଙ୍କ ସ୍ମୃତିରେଉତ୍ସବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
