୯ ତାରିଖରେ ଆଡ଼ପମଣ୍ଡପ ବିଜେ, ୧୫ ତାରିଖରେ ବାହୁଡ଼ା ଯାତ୍ରା, ୧୬, ୧୭ ଏବଂ ୧୮ ତାରିଖରେ ଯଥାକ୍ରମେ ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ହେବ ସିଧାପ୍ରସାରଣ
ଭୁବନେଶ୍ୱର, ୫/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ଜୁଲାଇ ୭ ତାରିଖ ରବିବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତି । ଏଥିରେ ଉନ୍ନତ ମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ-ରିଜଲୁ୍ୟସନ୍ ଚିତ୍ରୋତ୍ତଳନର କରାଯାଇ ଅଗଣିତ ଦର୍ଶକମାନଙ୍କ ଦର୍ଶନ ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରସାରଣ କରାଯିବ । ଏହା ଦ୍ୱାରା ଦର୍ଶନାଭିଳାଷୀ ଭକ୍ତମାନେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ସ୍ପଷ୍ଟ ଭାବେ ଦେଖିପାରିବା ସହିତ ଭାବକୁ ମଧ୍ୟ ଅନୁଭବ କରିପାରିବେ । ଏଥିରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ବିଶାରଦ ତଥା ପ୍ରଖ୍ୟାତ ଭାଷ୍ୟକାରମାନଙ୍କର ପ୍ରଗଳ୍ଭ ଏବଂ ତାତ୍ତ୍ୱିକ ବିଶ୍ଳେଷଣାତ୍ମକ ବିବରଣୀ ଦର୍ଶକମାନଙ୍କ ନିକଟରେ ପରିବେଷଣ କରାଯିବ । ବିଶେଷ କରି ଉଦ୍ଘୋଷକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ଡ. ମୃତୁ୍ୟଞ୍ଜୟ ରଥ, ପଦ୍ମନାଭ ତି୍ରପାଠୀ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ଡ. କଲ୍ୟାଣୀ ନନ୍ଦୀ ଆଦି ଘୋଷଯାତ୍ରାର ଧାରା ବିବରଣୀ ପ୍ରଦାନ କରିବା ସହିତ ଦର୍ଶକମାନଙ୍କୁ ଭକ୍ତି ରସାମୃତରେ ଆହ୍ଲାଦିତ କରିବେ । ଡିଡି ଓଡ଼ିଆରେ ସିଧାପ୍ରସାରଣ ଜୁଲାଇ ୭ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବା ସହିତ ସକାଳ ୧୦ଟାରୁ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଡିଡି ଭାରତୀରେ ପ୍ରସାରଣର ବ୍ୟବସ୍ଥା କରାଯାଉଛି । ଏହି ପ୍ରସାରଣ ଡିଡି ଓଡ଼ିଆ ଏବଂ ଡିଡି ନ୍ୟାସନାଲ ୟୁଟୁ୍ୟବ୍ ଚାନେଲ୍ରେ ସକାଳ ୯ଟାରୁ ଲାଇଭ୍ ଷ୍ଟି୍ରମିଙ୍ଗ୍ ମାଧ୍ୟମରେ ଉପଲବ୍ଧ ହେବ । ଯେହେତୁ ନୀତି ଅନୁଯାୟୀ ଶ୍ରୀଜୀଉଙ୍କର ରଥଯାତ୍ରା ଏଥର ଦୁଇଦିନ ଧରି ଅନୁଷ୍ଠିତ ହେବ, ସେଥିପାଇଁ ୮ ତାରିଖ ଦିନ ମଧ୍ୟ ସକାଳ ୮.୩୦ରୁ ରଥଟଣାର ସିଧାପ୍ରସାରଣ କରାଯିବାର ମଧ୍ୟ ବ୍ୟବସ୍ଥା ହୋଇଛି ।
ରାଜ୍ୟ ସରକାରଙ୍କ ଅଫିସିଆଲ୍ ପ୍ରସାରଣକାରୀ ଭାବେ ରଥଯାତ୍ରା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଯଥା ୯ ତାରିଖରେ ଆଡ଼ପମଣ୍ଡପ ବିଜେ, ୧୫ ତାରିଖରେ ବାହୁଡ଼ା ଯାତ୍ରା, ୧୬, ୧୭ ଏବଂ ୧୮ ତାରିଖରେ ଯଥାକ୍ରମେ ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ ନିମନ୍ତେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ତଥା ତତ୍ସମ୍ବନ୍ଧୀୟ ସିଧାପ୍ରସାରଣର ଅପୂର୍ବ ସୁଯୋଗ ଦୂରଦର୍ଶନ ମାଧ୍ୟମରେ ଲାଭ କରିବା ନିମନ୍ତେ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଦେବାଶିଷ ହାଲଦାର ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି ।