ଗ୍ୟାରେଜ ମାଲିକଙ୍କ ଖାମଖିଆଲି ଯୋଗୁଁ ସ୍କୁଟି ପୋଡି ପାଉଁଶ – ଅଭିଯୋଗ

କେନ୍ଦ୍ରାପଡ଼ା, ୨୬/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଜଣେ ଗ୍ୟାରେଜ ମାଲିକଙ୍କ ଖାମଖିଆଲି ଯୋଗୁଁ ଏକ ସ୍କୁଟି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ପଂଚାୟତର ଖଣ୍ଡିଆବନ୍ଧ ଗ୍ରାମର ଶିକ୍ଷକ ସ୍ୱର୍ଗତ ଉତ୍ସବ ସ୍ୱାଇଁଙ୍କ ପୁତ୍ର ରଣଜିତ କୁମାର ସ୍ୱାଇଁ ତାଙ୍କ ଭଉଣୀଙ୍କ ସ୍କୁଟିର ସାଇଲେନ୍ସରରେ ଏକ ହୋଲ ହୋଇଯାଇଥିବାରୁ ତାକୁ ନେଇ ଓଲଡିଂ କରିବାକୁ କଜଳାର ଜ୍ଞାନପିଠ ପାଖରେ ଥିବା ଏକ ଗ୍ୟାରେଜ କୁ ଆଜି ଅପରାହ୍ନରେ ଯାଇଥିଲେ । ସେହି ଗ୍ୟାରେଜର ମାଲିକ ସହରର ବଡହାଟସ୍ଥିତ ସେକ ଅନିସୁଦ୍ଧିନଙ୍କ ପୁଅ ସେକ ଟିକି ସାଇଲେନ୍ସରକୁ ସ୍କୁଟିରୁ ଖୋଲି ଓଲଡିଂ କରିବା ପରିବର୍ତେ ସ୍କୁଟିକୁ ଗୋଟିଏ କଡକୁ ଓଲଟାଇ ଓଲଡିଂ କରିଥିଲେ । ଫଳରେ ସ୍କୁଟିର ଟାଙ୍କିରେ ଥିବା ପେଟ୍ରୋଲ ଗୋଟିଏ କଡକୁ ଚାଲିଯାଇଥିଲା । ସେହି ଅବସ୍ଥାରେ ଓଲଡିଂ କରାଯିବାରୁ ସ୍କୁଟିରେ ନିଆଁ ଲାଗିଯାଇ ସଂପୂର୍ଣ୍ଣ ପୋଡିଯାଇଥିଲା । ସ୍କୁଟି ନେଇ ଗ୍ୟାରେଜ ଯାଇଥିବା ରଣଜିତ ସ୍କୁଟିକୁ ନିଆଁ ଦାଉରୁ ବଂଚାଇବାକୁ ଚେଷ୍ଟା କରିଥିଲେବି ସ୍କୁଟି ଟି ପୋଡି ପାଉଁଶ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *