ମୟୂରଭଞ୍ଜ ବାଦାମପାହାଡ଼ରେ ୩ଟି ନୂଆ ଟ୍ରେନ୍ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ରାଷ୍ଟ୍ରପତି

ଆଜି ସରକାରଙ୍କ ପ୍ରତିଟି ପଦକ୍ଷେପ ପ୍ରତ୍ୟେକ ନିଷ୍ପତି ଜନଜାତିଙ୍କ ବିକାଶ ସ୍ୱାଭିମାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟମାନ୍ୟବର ରାଷ୍ଟ୍ରପତି

ଜନଜାତି ବଞ୍ଚିତ ଲୋକମାନେ ଆଜି ବିଶ୍ୱରେ ଭାରତର ପରିଚୟ ତିଆରି କରୁଛନ୍ତିଧର୍ମେନ୍ଦ୍ର ପ୍ରଧାନ

• ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରି ଜନଜାତି ସମ୍ପ୍ରଦାୟର ଲୋକମାନେ ଭାରତର ନେତୃତ୍ୱ ନେଉଛନ୍ତି
• ଓଡ଼ିଶା ୧୧୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସହ ଦେଶର ସବୁଠୁ ବଡ ଲାଭାର୍ଥୀ ହୋଇଛି
• ଜାତୀୟ ଶିକ୍ଷା ନୀତି ଆଧାରରେ ସାନ୍ତାଳୀ ଭାଷା ସମେତ ସବୁ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଉଛି
• ଆମ ସ୍ୱାଭିମାନର ପ୍ରତୀକ, ବିଶ୍ୱର ଅନ୍ୟତମ ଜନନେତ୍ରୀ ମାନ୍ୟବର ରାଷ୍ଟ୍ରପତିଙ୍କ ଗାଁରୁ ରେଳ ଚଳାଚଳ ସହ ଉତ୍ତମ ସଂଯୋଗ ଓ ଭିତ୍ତିଭୂମି ସ୍ଥାପନ ହେବା ମୟୂରଭଞ୍ଜ ପାଇଁ ଗୌରବମୟ ଉପଲବ୍ଧି
• ରାଷ୍ଟ୍ରପତିଙ୍କ କର୍ମଭୂମି ପାହାଡପୁର ଠାରେ ବିଶ୍ୱର ଅଗ୍ରଣୀ କମ୍ପାନୀ ଏଲ ଆଣ୍ଡ୍ ଟି ଦ୍ୱାରା ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନା ଦ୍ୱାରା ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହେବ
• ମୟୂରଭଞ୍ଜ ଜିଲ୍ଲା ସ୍ୱାଭିମାନ ଅଞ୍ଚଳ, ଏହି ଅଞ୍ଚଳର ପରିଶ୍ରମ କାରଣରୁ ଦେଶର ଅର୍ଥନୀତି ସବଳ ହୋଇଛି
• ପଣ୍ଡିତ ରଘୁନାଥ ମୁର୍ମୁ, ମୟୂରଭଞ୍ଜ ମହାରାଜ ଦେଖିଥିବା ସ୍ୱପ୍ନ ଆଜି ପୂରଣ ହେଉଛି
• ମାନ୍ୟବର ରାଷ୍ଟ୍ରପତିଙ୍କୁ ଦେଶ ଆଗାମୀ ଦୁଇ ଶତାବ୍ଦୀ ପର୍ଯ୍ୟନ୍ତ ମନେରଖିବ, ଯେତେବେଳେ ଭାରତରେ ନବଜାଗରଣ ହେଉଥିଲା ସେତେବେଳେ  ଜଣେ ବଞ୍ଚିତ ବର୍ଗର ମହିଳା ଭାରତର ନେତୃତ୍ୱ ନେଉଥିଲେ

ବାଦାମପାହାଡ଼/ ଭୁବନେଶ୍ୱର, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)-– ସାରା ଦେଶରେ ଆଜି ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ପ୍ରତ୍ୟେକ ନିଷ୍ପତି ଜନଜାତିଙ୍କ ବିକାଶ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ମଙ୍ଗଳବାର ମୟୂରଭଞ୍ଜର ଜିଲ୍ଲାର ବାଦାମପାହାଡ଼ ଷ୍ଟେସନ ଠାରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୩ଟି ନୂଆ ଟ୍ରେନ ଚଳାଚଳ ସମେତ ରେଳ ଓ ଡାକ ବିଭାଗର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର କରିବା ଅବସରରେ କହିଛନ୍ତି ।

ମାନ୍ୟବର ରାଷ୍ଟ୍ରପତି କହିଛନ୍ତି ଆଦିବାସୀ ଯୁବକ ଓ ଯୁବତୀ ମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ରୋତ୍ସାହନର ସୁଯୋଗ ନେବା ଉଚିତ୍ । ଜୀବନରେ ଆଗକୁ ଯିବା ପାଇଁ ପ୍ରୟାସ କରିବା ଉଚିତ୍ । ନିଜ ଭିତରେ ଉତ୍ସାହ ଓ ପ୍ରୟାସ ନ ରହିଲେ ସେମାନଙ୍କ ବିକାଶ କେମିତି ହେବ ? ଏଥିପାଇଁ ସେମାନେ ବିକାଶରେ ସାମିଲ ହେବା ସହ ଆଗକୁ ବଢିବା ପାଇଁ ପ୍ରୟାସ କରନ୍ତୁ । କେନ୍ଦ୍ର ସରକାର ଆଦିବାସୀଙ୍କ ଗୌରବମୟ ଇତିହାସ ଉପରେ ଗୁରୁତ୍ୱରୋପ କରିଛନ୍ତି । ଆଦିବାସୀ କଳା, ସଂସ୍କୃତି, ହସ୍ତଶିଳ୍ପର ସଂରକ୍ଷଣ ଓ ପ୍ରଚାର ନିମନ୍ତେ ଅଧିକ ପ୍ରୟାସ କରୁଛନ୍ତି । ଏହି କ୍ରମରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗ୍ରହାଳୟମାନ ସ୍ଥାପନ ଠାରୁ ଆରମ୍ଭ କରି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସର ମାନ୍ୟତା ଦିଆଯାଇଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ମୟୂରଭଞ୍ଜ ସମେତ ଦେଶରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ।  

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୟୂରଭଞ୍ଜ ଜିଲ୍ଲା ସ୍ୱାଭିମାନ ଅଞ୍ଚଳ । ମୟୂରଭଞ୍ଜର ପରିଶ୍ରମ କାରଣରୁ ଦେଶର ଅର୍ଥନୀତି ସବଳ ହୋଇଛି । ଏହି ଅଞ୍ଚଳର ଲୋକଙ୍କ ପରିଶ୍ରମରେ ଅନୁଗୋଳ ଜିଲ୍ଲାର ନାଲକୋ, ଏନଟିପିସି ନିର୍ମାଣ ହୋଇଛି । ମୟୂରଭଞ୍ଜର ପଣ୍ଡିତ ରଘୁନାଥ ମୁର୍ମୁ, ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପରି ଯେଉଁ ମାନେ ଦେଶ, ଜାତି ପାଇଁ ସ୍ୱପ୍ନ ଦେଖିଥିଲେ ଏବଂ  ଜନଜାତିଙ୍କ ଅଧିକାରରୁ ସୁରକ୍ଷିତ ରଖିବା ପାଇଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ପୂରଣ ହେଉଛି । ମୋଦି ସରକାରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, ଜନଜାତି ବ୍ୟାପର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରି ଜନଜାତି ସମ୍ପ୍ରଦାୟର ଲୋକମାନେ ଭାରତର ନେତୃତ୍ୱ ନେଉଛନ୍ତି । ଜନଜାତି, ବଞ୍ଚିତ ଲୋକମାନେ ମୋଦି ସରକାରରେ ଭାରତର ବିଶ୍ୱରେ ପରିଚୟ ତିଆରି କରୁଛନ୍ତି । ଏହା ଜନଜାତି ସମାଜ ପାଇଁ ଗର୍ବର ବିଷୟ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଏ ଦେଶ ଆଗାମୀ ଦୁଇ ଶତାବ୍ଦୀ ପର୍ଯ୍ୟନ୍ତ ଏଥିପାଇଁ ମନେରଖିବ, ଯେତେବେଳେ ଭାରତରେ ନବଜାଗରଣ ହେଉଥିଲା ସେତେବେଳେ  ଭାରତର ନେତୃତ୍ୱ ଜଣେ ବଞ୍ଚିତ ବର୍ଗ, ସ୍ୱାଭିମାନ ଅଞ୍ଚଳ ମୟୂରଭଞ୍ଜର ମହିଳା ନେଉଥିଲେ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ସ୍ୱାଭିମାନର ପ୍ରତୀକ, ବିଶ୍ୱର ଅନ୍ୟତମ ଜନନେତ୍ରୀ ଶ୍ରୀମତୀ ମୁର୍ମୁଙ୍କ ଗ୍ରାମରୁ ରେଳ ଚଳାଚଳ ସହ ଉତ୍ତମ ସଂଯୋଗ ଓ ଭିତ୍ତିଭୂମି ସ୍ଥାପନ ହେବା ଆମର ଜନଜାତି, ବଞ୍ଚିତ ତଥା ସଂସ୍କୃତିସମ୍ପନ୍ନ ମୟୂରଭଞ୍ଜ ପାଇଁ ଏକ ଗୌରବମୟ ଉପଲବ୍ଧି । ଗତକାଲି ରାଷ୍ଟ୍ରପତି ବାରିପଦା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ସାନ୍ତାଳୀ ଭାଷାରେ ସମ୍ବୋଧନ କରିବା ଖୁସିର ବିଷୟ । ଭାରତର ସବୁ ସ୍ଥାନୀୟ ଭାଷା ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଜାତୀୟ ଶିକ୍ଷା ନୀତି ଆଧାରରେ ସାନ୍ତାଳୀ ଭାଷା ସମେତ ସବୁ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଉଛି । ଶାନ୍ତାଳୀ ଭାଷାକୁ ପାଠ୍ୟ ପୁସ୍ତକର ରୂପ ଦିଆଯାଉଛି । ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଯେତେ ଭାଷା ଅଛି, ସେ ସବୁ ଭାଷାରେ ଏନସିଇଆରଟି ଦ୍ଵାରା ପାଠ୍ୟ ପୁସ୍ତକ ଉପଲବ୍ଧ କରାଯିବାର ଯୋଜନା ହୋଇଛି । ଏଠାରେ ସ୍ଥାନୀୟ ପିଲାମାନେ ଇଚ୍ଛା କଲେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ତାଙ୍କ ପାଇଁ ପାଠ୍ୟ ଉପକରଣ ପ୍ରଦାନ କରାଯିବ ।

ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଦେଶରେ ୭୦୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ହେଉଥିବା ବେଳେ ଓଡ଼ିଶା ୧୧୪ଟି ସ୍କୁଲ ସହ ଦେଶର ସବୁଠୁ ବଡ ଲାଭାର୍ଥୀ ହୋଇଛି । ରାଜ୍ୟରେ ଏଥିପାଇଁ ସାଢେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୭୦୦ କୋଟି ଟଙ୍କା ବ୍ୟୟରେ ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୂରଭଞ୍ଜରେ ୨୩ଟି ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ହେଉଛି । ମାନ୍ୟବର ରାଷ୍ଟ୍ରପତିଙ୍କ ଆଶୀର୍ବାଦ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ କାରଣରୁ ଆଜି ଏହା ସମ୍ଭବ ହୋଇପାରିଛି । ବାରିପଦାରେ ୪ଟି ଷ୍ଟେସନର ପୁନର୍ବିକାଶ ସହ ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟ ହୋଇଛି । ତାଙ୍କର କର୍ମଭୂମି ପାହାଡପୁର ଠାରେ ବିଶ୍ୱର ଅଗ୍ରଣୀ କମ୍ପାନୀ ଏଲ ଆଣ୍ଡ୍ ଟି ଦ୍ୱାରା ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନା ହୋଇଛି । ଆବଶ୍ୟକତା ହେଲେ ନୂଆ ଶିକ୍ଷା ପଦ୍ଧତିରେ କେବଳ ସାର୍ଟିଫିକେଟ ନୁହେଁ ବରଂ ଏଠାରେ ଡିଗ୍ରୀ ଦେବାର ମଧ୍ୟ ବ୍ୟବସ୍ଥା କରାଯିବ ।

ଉଲ୍ଲେଖନୀୟ, ଆଜି ମାନ୍ୟବର ରାଷ୍ଟ୍ରପତିଙ୍କ କରକମଳରେ ଉଦଘାଟିତ ଟ୍ରେନ ଗୁଡିକ ହେଲା ବାଦାମପାହାଡ –ଟାଟାନଗର ମେମୁ, ବାଦାମପାହାଜ-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ, ବାଦାମପାହାଡ-ଶାଲିମାର ସାପ୍ତାହିକ ଏକ୍ସପ୍ରେସ । ସେହିପରି ରାଷ୍ଟ୍ରପତି ଅମୃତ ଷ୍ଟେସନ ଯୋଜନା ଅନ୍ତର୍ଗତ ବାଦାମପାହାଡ ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଇରଙ୍ଗପୁର ନୂତନ ଡାକ ମଣ୍ଡଳର ଉଦଘାଟନ ସହ ଡାକ ବିଭାଗର ବିଶେଷ ସ୍ମରଣିକା ଉନ୍ମୋଚନ ମଧ୍ୟ ହୋଇଥିଲା । ଏହା ପୂର୍ବରୁ ସେ ପାହାଡପୁର ଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନର ଶୁଭାରମ୍ଭ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *