ଯାଜପୁର, ୩୦/୦୯/୨୦୨୬ (ଓଡ଼ିଶା ସମାଚାର)- ସାଧାରଣ ଲୋକଙ୍କ ସୁରକ୍ଷା, ଯାତାୟାତରେ ସୁବିଧା ଏବଂ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ବଡ଼ଚଣାରୁ ବାଲିଚନ୍ଦ୍ରପୁରକୁ ସଂଯୋଗ କରୁଥିବା ପ୍ରାୟ ୧୩ କିଲୋମିଟର ଦୂରତାର ଆର୍.ଆଣ୍ଡ.ବି ରାସ୍ତାରେ ଭାରୀ ମାଲବାହୀ ଯାନ ଓ ଟ୍ରକ୍ ଚଳାଚଳ ଉପରେ ଏକ ମାସ ପାଇଁ କଟକଣା ଜାରି କରାଯାଇଛି।
ଏହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟକ ଲୋକ ବଡ଼ଚଣା ବ୍ଲକ କାର୍ଯ୍ୟାଳୟ, ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମେତ ବଡ଼ଚଣା, ଧାନମଣ୍ଡଳ ଓ ଚଣ୍ଡିଖୋଲ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। ଏଥିସହିତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ସାଇକେଲ ଚାଳକ, ପଥଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ ଅଟନ୍ତି।
ତେବେ ଏହି ରାସ୍ତାରେ ଭାରୀ ମାଲବାହୀ ଯାନ ଓ ଟ୍ରକ୍ଗୁଡ଼ିକ ଖାଲି କିମ୍ବା ଭାରୀ ଲୋଡ୍ ନେଇ ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ ସାଧାରଣ ଯାତ୍ରୀ, ଛାତ୍ରଛାତ୍ରୀ, ସାଇକେଲ ଚାଳକ ଓ ପଥଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ଏହି ରାସ୍ତାରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବାରୁ ଜନସାଧାରଣଙ୍କ ସୁରକ୍ଷା ନେଇ ଉଦ୍ବେଗ ପ୍ରକାଶ ପାଇଛି।
ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍-କମ୍-ଆର୍ଟିଏ ଅଧ୍ୟକ୍ଷ ଶ୍ରୀ ଅମ୍ବର କୁମାର କର, ଓଏଏସ୍ (ଏସ୍ଏସ୍), ମୋଟର ଯାନ ଆଇନ, ୧୯୮୮ର ଧାରା ୧୧୫, ୧୧୬ ଓ ୧୧୭ ଏବଂ ଓଡ଼ିଶା ମୋଟର ଯାନ ନିୟମାବଳୀ, ୧୯୯୩ର ନିୟମ ୬୩ ଓ ୯୩ ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଏହି କଟକଣା ଜାରି କରିଛନ୍ତି।
ଏହି ନିର୍ଦ୍ଦେଶ ଅନୁଯାୟୀ ୦୧ ଅକ୍ଟୋବର ୨୦୨୬ ଠାରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବଡ଼ଚଣା–ବାଲିଚନ୍ଦ୍ରପୁର ଆର୍.ଆଣ୍ଡ.ବି ରାସ୍ତାରେ ଭାରୀ ଲୋଡେଡ୍ ଯାନ ଓ ଟ୍ରକ୍ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ। ଭାରୀ ଯାନଗୁଡ଼ିକ ନିର୍ଦ୍ଧାରିତ ହାଇୱେ ମାର୍ଗ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କଟକଣାର ସଠିକ୍ କାର୍ଯ୍ୟକାରିତା ଓ ଉଲ୍ଲଂଘନକୁ ରୋକିବା ପାଇଁ ସମ୍ପୃକ୍ତ ପରିବହନ ଓ ପୁଲିସ୍ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବା ସହ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହି କଟକଣା ଫଳରେ ଉକ୍ତ ରାସ୍ତାରେ ଭାରୀ ଯାନ ଚଳାଚଳ ହ୍ରାସ ପାଇବା ସହ ସାଧାରଣ ଲୋକ, ଛାତ୍ରଛାତ୍ରୀ, ପଥଚାରୀ ଓ ସ୍ଥାନୀୟ ଅଧିବାସୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ହେବ ବୋଲି ଆଶା କରାଯାଉଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
