ସ୍ଥାୟୀ ପର୍ଯ୍ୟଟନ ବିକାଶ, ଏଆଇ ପ୍ରଯୁକ୍ତି ଓ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୩୦/୦୯/୨୦୨୬(ଓଡ଼ିଶା ସମାଚାର)-ଟୁର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (TOAI) ପକ୍ଷରୁ ଭୁବନେଶ୍ୱରର ହୋଟେଲ୍ ଲେମନ୍ ଟ୍ରି ପ୍ରିମିୟର୍ରେ ଆୟୋଜିତ ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ (NTS)-୨୦୨୬ ସେପ୍ଟେମ୍ବର ୩୦ ତାରିଖରେ ଉଦ୍ଯାପିତ ହୋଇଯାଇଛି। ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ଥାୟୀ ପର୍ଯ୍ୟଟନ ବିକାଶ, କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର, ଉଚ୍ଚମୂଲ୍ୟଯୁକ୍ତ ପର୍ଯ୍ୟଟନର ବିକାଶ ଏବଂ ତୃଣମୂଳସ୍ତରର ପର୍ଯ୍ୟଟନ ବ୍ୟବସାୟ ନେଟୱର୍କକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସମ୍ମିଳନୀର ପ୍ରଥମ ଦିନରେ HDFର ଟ୍ରଷ୍ଟି, ସାମାଜିକ କର୍ମୀ ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି ଦିନ ଯାତ୍ରା ଯୋଜନା ଓ ପର୍ଯ୍ୟଟନ ଅନୁଭୂତିକୁ ସମୃଦ୍ଧ କରିବାରେ ଏଆଇର ଭୂମିକା ଏବଂ ମାନବୀୟ ଅଭିଜ୍ଞତାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ ଅନୁଭୂତିଭିତ୍ତିକ ପର୍ଯ୍ୟଟନର ବିସ୍ତାର, ସ୍ଥାୟୀ ପର୍ଯ୍ୟଟନସ୍ଥଳୀ ପରିଚାଳନା ଏବଂ ବିଭିନ୍ନ ଅଞ୍ଚଳ ମଧ୍ୟରେ ବ୍ୟବସାୟିକ ସହଯୋଗ ବୃଦ୍ଧି ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା।
TOAIର ପରାମର୍ଶଦାତା ବୋର୍ଡ ଅଧ୍ୟକ୍ଷ ହିରେନ ଶାହ, ସଚିବ ପ୍ରିୟଙ୍କା ଗାଏକୱାଡ, ଅଧ୍ୟକ୍ଷା ରିଜା ଫାତିମା, ମହିଳା ସଶକ୍ତୀକରଣ କମିଟି (WEC) ଅଧ୍ୟକ୍ଷା ସୀମା ଭୁଟାଡା, କେରଳ ରାଜ୍ୟ ଶାଖା ସଭାପତି ଏମ୍. ଅନିଶ କୁମାର ଏବଂ ଓଡ଼ିଶା ରାଜ୍ୟ ସଂଯୋଜକ ମୁସ୍ତାକ ହୋସେନ ଶରିଫଙ୍କ ସମେତ ପର୍ଯ୍ୟଟନ କ୍ଷେତ୍ରର ବହୁ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ।
ଦ୍ୱିତୀୟ ଦିନରେ ସ୍ତମ୍ଭକାର, ଲେଖିକା ଓ ସାମାଜିକ ଚିନ୍ତକ ଡ. ରୀନା ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମିଳନୀର ଶେଷ ପର୍ଯ୍ୟାୟରେ TOAI ପୁରସ୍କାର ସମାରୋହ ଆୟୋଜିତ ହେବା ସହ ସଂଗଠନର ମହିଳା କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଏକ ବିଶେଷ ଉପସ୍ଥାପନା କରାଯାଇଥିଲା।
ସମ୍ମିଳନୀରେ ସ୍ଥାୟୀ ଓ ପରିବେଶ ଅନୁକୂଳ ପର୍ଯ୍ୟଟନର ପ୍ରସାର, ନୂତନ ପ୍ରଯୁକ୍ତିର ଉପଯୋଗ ଏବଂ ପର୍ଯ୍ୟଟନ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।
ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିବା ଯୋଗୁ ଆସୋସିଏସନ ପକ୍ଷରୁ ଓଡିଶା ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।
