କେନ୍ଦ୍ରାପଡ଼ା, ୨୭/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ମାରୁତି ଛକ ନିକଟରେ ଗ୍ୟାଙ୍ଗଷ୍ଟର ସୁଲେମାନ ପୁତୁରା ଓ ବଜରଙ୍ଗ ଦଳ ନେତା ବାବୁଲି ମହାରଣାଙ୍କ ପୁଅ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ଘଟଣା ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ସଦର ଥାନାରେ ସମାଧାନ ହୋଇଯାଇଛି । ବିଜେପି ଜିଲା ସଭାପତି କିଶୋର କୁମାର ପଣ୍ଡା ଓ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ) ଉଭୟ ଗୋଷ୍ଠିର ମଧ୍ୟସ୍ତି ଭାବରେ ସେଠାରେ ଉପସ୍ଥିତ ଥିଲେ । ଯେଉଁ ଦୁଇଟି ଗାଡି ସୁଲେମାନ ପୁତୁରା ଗୋଷ୍ଠୀର ଯୁବକମାନଙ୍କ ବାବୁଲି ମହାରଣା ପୁଅ ଗୋଷ୍ଠୀର ଯୁବକମାନେ ଭାଙ୍ଗିଥିଲେ ତାହାକୁ ବାବୁଲି ନିଜେ ଭରଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ସୁଲେମାନ ପୁତୁରା ସୋନୁର ମୁଣ୍ଡରେ ଯେଉଁ ଗଭୀର ଆଘାତ ଲାଗିଛି ତାହାର ଚିକିତ୍ସା ଖର୍ଚ୍ଚ ମଧ୍ୟ ବାବୁଲି ମହାରଣା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଛି । ଥାନାରେ ଉଭୟ ପକ୍ଷ କୋଳାକୋଳି ହୋଇଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଧେଶରେ ପୋଲିସ ପକ୍ଷରୁ ଉପ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ରେ ମଲ୍ଲିକ ମଧ୍ୟସ୍ଥତା କରିଥିଲେ । ବାବୁଲି ମହାରଣାଙ୍କ ପକ୍ଷରୁ କିଶୋର ପଣ୍ଡା, ବିଜେପି ନେତା ଅଭିମନୁ୍ୟ ଗୋଚ୍ଛାୟତ, ବିଜେପି ନେତା ମିଲନ କୁମାର ଓଝା, ବିଜେପି ନେତା ତଥା ଗୁଲନଗର ସରପଂଚଙ୍କ ପ୍ରତିନିଧି କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳିି ସୁଲେମାନ ପୁତୁରାଙ୍କ ପକ୍ଷରୁ କପାଳେଶ୍ୱର ସରପଂଚଙ୍କ ପ୍ରତିନିଧି ତଥା ବିଜେଡି ନେତା ଲୋହିତ କୁମାର ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ମଲିକ ଅଲ୍ଲୀଜାନ, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ଅବଦୁଲ ସଲିମ ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଗତ ରବିବାର ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏଥିରେ ଦୁଇଟି ବାଇକ ଭାଙ୍ଗିରୁଜି ଯାଇଥିଲା । ଏଥିସହ ୬ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ୩ ଦିନ ହେବ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।