ସମ୍ବଲପୁର,୨୯/୦୯/୨୦୨୬ (ଓଡ଼ିଶା ସମାଚାର)- ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ ଜାରି ।
ଆଜି (୨୯.୦୯.୨୦୨୬) ସମ୍ବଲପୁରସ୍ଥିତ କାରଖାନା ଓ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୁଦ୍ଧରେ ଆୟର ଜଣାଶୁଣା ଉତ୍ସ ତୁଳନାରେ ଅତ୍ୟଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସ୍ପେକ୍ଟର, ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ସ୍ଥିତ ନିମ୍ନଲିଖିତ ୭ଟି ସ୍ଥାନରେ ଏହି ଚଢ଼ଉ ଚାଲିଛି:
୧. ସମ୍ବଲପୁରର ଧନକଉଡ଼ା ସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଶ୍ରୀ ସାମନ୍ତରାୟଙ୍କ ୩-ବିଏଚ୍କେ (3BHK) ଫ୍ଲାଟ୍।
୨. ଭୁବନେଶ୍ୱରର ନନ୍ଦନକାନନ ରୋଡ୍, ନନ୍ଦନ ବିହାର ସ୍ଥିତ ଶ୍ରୀ ସାମନ୍ତରାୟଙ୍କ ଏକ ଡୁପ୍ଲେକ୍ସ ଘର।
୩. ଭୁବନେଶ୍ୱରର ବାରକୁଡ଼ା (ଜଟଣୀ ନିକଟ) ସ୍ଥିତ ଇଣ୍ଡସ୍ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟରେ ଥିବା ତାଙ୍କର ଏକ କୋଠା।
୪. ପୁରୀର ବାଲିଗୁଆଳି, ତୋଟା ବେହେରା ସାହି ସ୍ଥିତ ତାଙ୍କର ତିନି ମହଲା ବିଶିଷ୍ଟ କୋଠା।
୫. ଖୋର୍ଦ୍ଧାର ବାଲୁଗାଁ, ସୁଭାଷ ମାର୍ଗ ସ୍ଥିତ ତାଙ୍କର ଦୁଇ ମହଲା ବିଶିଷ୍ଟ କୋଠା।
୬. ଖୋର୍ଦ୍ଧାର ବାଲୁଗାଁ, ଅଶୋକ ନଗର ସ୍ଥିତ ତାଙ୍କ ପୈତୃକ ବାସସ୍ଥାନରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା।
୭. ସମ୍ବଲପୁରସ୍ଥିତ କାରଖାନା ଓ ବଏଲର୍ସ ବିଭାଗର ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କର ଅଫିସ୍ ଚାମ୍ବର। ଚଢ଼ଉ ଜାରି ରହିଛି। ଅଧିକ ତଥ୍ୟ ପରେ ପ୍ରଦାନ କରାଯିବ।

