କେନ୍ଦୁଝର,୨୯/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପ୍ରାପ୍ତ ଖବର ଅନୁସାରେ, ପାଟଣା ଓ ତୁରୁମୁଙ୍ଗା ଥାନା ସୀମାନ୍ତରେ ଥିବା ତୁରୁମୁଙ୍ଗା ଥାନା ହନୁମାନ ଛକ ରସିକ ଛକ ମଝି ଜଙ୍ଗଲ ରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ୧ରାଉଣ୍ଡ ଗୁଳିମାଡ଼ କରିବା ସହ ବାମ ହାତକୁ ଓ ଅଣ୍ଟାକୁ ହାଣି ହତ୍ୟା କରିବା ସହିତ ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତି । ମୃତକ ହେଲେ କେନ୍ଦେଇପୋଷି ପଞ୍ଚାୟତ ଖଜିରାପୋଷି ଗ୍ରାମର ସାଧବ ମହାନ୍ତଙ୍କ ପୁଅ ତ୍ରିଲୋଚନ ମହାନ୍ତ(୪୨) । ଘଟଣାସ୍ଥଳରେ ତ୍ରିଲୋଚନଙ୍କ ମୃତଦେହ ସହ ତାଙ୍କ ସ୍କୁଟି ମଧ୍ୟ ରହିଥିଲା। ଖବର ପାଇ ପୁଲିସର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାକାବନ୍ଦୀ କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ଆଡିସନଲ ଏସ ପି ପ୍ରତ୍ୟୁ ଶ ମହାପାତ୍ର ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସ୍ଆଇ ଲକ୍ଷ୍ମଣ ମାଝି, ଚମ୍ପୁଆ ଏସ ଡି ପି ଓ ରଶ୍ମି ରଞ୍ଜନ ସାହୁ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ, ଏ ଏସ ଆଇ ସୁଜାତା ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ଧରଣୀ ଧର୍ ମେଡ଼ିକାଲ କଲେଜକୁ ନେଇଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲା।
ସୂଚନା ଅନୁଯାୟୀ, ତ୍ରିଲୋଚନ କେନ୍ଦେଇପୋଷି ବଜାରର ବଲାଣିପୋଷି ରାସ୍ତାରେ ଏକ ଜନସେବା କେନ୍ଦ୍ର ସହ ବ୍ୟାଙ୍କିଂ ସେବା କେନ୍ଦ୍ର ଖୋଲିଥିଲେ । ତାଙ୍କ ସ୍ତ୍ରୀ ତୁଳସୀ ମହାନ୍ତ ପାଟଣା ଥାନାରେ କନଷ୍ଟେବଳ ଭାବେ କାର୍ୟ୍ୟରତ । ପ୍ରତିଦିନ ଭଳି ସୋମବାର ରାତିରେ ମଧ୍ୟ ତ୍ରିଲୋଚନ ଦୋକାନ ବନ୍ଦ କରି ବାଇକ୍ ଯୋଗେ ଟଙ୍କା ବ୍ୟାଗ୍ ଧରି ପାଟଣା ଥାନା କ୍ୱାର୍ଟର୍ସକୁ ଫେରୁଥିଲେ। ଏହି ସମୟରେ ଖୁଣ୍ଟା ପଡ଼ା ଆକାଶିଆ ଜଙ୍ଗଲ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ତ୍ରିଲୋଚନ ଟଙ୍କା ବ୍ୟାଗ୍ ନଦେଇ ଦୁର୍ବୃତ୍ତଙ୍କ ସହ ଧସ୍ତି କରିବାରୁ ତାଙ୍କୁ ଗୁଳି କରିବା ସହ ହାଣି ପକାଇ ଥିଲେ । ଏହା ପରେ ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ। ପୋଲିସ ସାଇଣ୍ଟିଫିକ୍ଟିମ ଡକାଇ ତଦନ୍ତ ଜାରି ରଖିଛି । 
ଏହି ଘଟଣା ପରେ ଅଞ୍ଚଳରେ ଶୋକ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ହତ୍ୟାକାଣ୍ଡର କାରଣ ଏବଂ ଘଟଣାରେ କେତେଜଣ ସମ୍ପୃକ୍ତ ଥିଲେ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଆଜି ସକାଳୁ ମଧ୍ୟ ପୁଲିସ ଘଟଣା ଘଟିଥିବା ସ୍ଥାନରେ ଥିବା ଜଣାପଡ଼ିଛି।
