୮ମାସରେ ୧୭୮ ମାମଲାରୁ ୧୧୧ ବୁଝାମଣା
ଭୁବନେଶ୍ୱର,୦୯/୦୯/୨୦୨୫ (ଓଡ଼ିଶା ସମାଚାର)- ବର୍ତମାନ ସମୟରେ ପାରିବାରିକ କଳହ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହାର ସମାଧାନ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ୁଛି । ଏହାରି ମଧ୍ୟରେ କିନ୍ତୁ ୨୦୧୪ ମସିହାରୁ କମିଶନରେଟ ପୋଲିସ ଓ ଆଇଏସଡି ମିଳିତ ଆନୁକୂଲ୍ୟରେ ଦ୍ୱୈତ ନଗରୀରେ ଆରମ୍ଭ ହୋଇଥିଲା ‘ମାଧ୍ୟମ’ କାଉନସିଲିଂ ସେଂଟର ପାରିବାରିକ କଳହ ମାମଲା ଗୁଡ଼ିକ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି କ୍ରମରେ ଚଳିତବର୍ଷ ଜାନୁଆରୀ ମାସରୁ ଅଗଷ୍ଟମାସ ମଧ୍ୟରେ ଅର୍ଥାତ ଗତ ୮ ମାସରେ ମାଧ୍ୟମ କାଉନସିଲିଂ ସେଂଟରକୁ ମୋଟ ୧୭୮ଟି ପାରିବାରିକ କଳହଜନିତ ମାମଲା ଆସିଥିବା ବେଳେ ସେଥିମଧ୍ୟରୁ ୧୧ଟି ମାମଲାକୁ ସେଂଟର ତରଫରୁ ସମାଧାନ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଜାନୁଆରୀ ମାସରେ ମାଧ୍ୟମ କାଉନସିଂଲିଂ ସେଂଟରକୁ ୧୯ଟି ଅଭିଯୋଗ ଆସିଥିବା ବେଳେ,ଫେବୃଆରୀରେ ୨୧ଟି, ମାର୍ଚ୍ଚରେ ୧୫ଟି,ଏପ୍ରିଲରେ ୨୨, ମେଁ ରେ ୨୪ଟି, ଜୁନରେ ୧୨ଟି, ଜୁଲାଇରେ ୨୩ଟି ଓ ଅଗଷ୍ଟ ମାସରେ ମୋଟ ୪୧ଟି ମାମଲା କାଉନସିଲିଂ ସେଂଟରକୁ ଆସିଥିବା ଜଣାପଡ଼ିଛି । ତେବେ ମାଧ୍ୟମ ସେଂଟରକୁ ଆସୁଥିବା ମାମଲା ଗୁଡ଼ିକ ମଧ୍ୟରୁ ଅଧିକାଂଶ ମାମଲା ପରକିୟାପ୍ରୀତି ଜନିତ ବୋଲି ଜଣାପଡ଼ିଛି । ବର୍ତମାନ ସମୟରେ ଯୁବପିଢ଼ୀମାନେ ସୋସିଆଲ ମିଡ଼ିଆରେ ଅଧିକ ସକ୍ରିୟ ରହୁଥିବାରୁ କମ୍ ବୟସରେ ସେମାନେ ଖରାପ ପଥକୁ ଆପଣାଇବା ସହ ଅନ୍ୟପରିବାରରେ ଝଡ଼ ସୃଷ୍ଟି କରୁଥିବା ନଜିର ରହିଛି । ଖାସ୍ କରି କମ୍ ବୟସର ଯୁବତୀମାନେ ନିଜ ଠାରୁ ବୟସରେ ଯଥେଷ୍ଟ ବଡ଼ଥିବା ବ୍ୟକ୍ତିଙ୍କ ସହ ସଂପର୍କ ରଖୁଥିବାରୁ ସେମାନଙ୍କ ପରିବାରରେ ଅଶାନ୍ତି ଦେଖାଦେଉଥିବାର ଘଟଣା କାଉନସିଲିଂ ସେଂଟରକୁ ଆସୁଥିବା ଜଣାପଡ଼ିଛି ।
ମାଧ୍ୟମ କାଉନସିଲିଂ ସେଂଟରରେ କେବଳ ଯେ, ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି ତାହା ନୁହେଁ, ବରଂ ବିଭିନ୍ନ ମାମଲାରେ ମହିଳମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି । ସେମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯିବା ସହ ୨ ଜଣଙ୍କୁ ସିଲାଇ ମେସିନ ପ୍ରଦାନ କରାଯାଇ ସେମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ଚେଷ୍ଟା କରାଯାଉଛି । ଶିକ୍ଷିତ ହେଲେ ମଧ୍ୟ ମାନସିକତାର ପରିବର୍ତନ ଆବଶ୍ୟକ । ତେବେ ବରମୁଣ୍ଡା ଅଂଚଳରେ ରହୁଥିବା କ୍ଷେତ୍ରବାସୀ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ ସୁମିତ୍ରା ପଟ୍ଟନାୟକଙ୍କର ଗୋଟିଏ ବୋଲି ପୁଅ ଦେବରାଜ । କ୍ଷେତ୍ରବାସୀ ସରକାରୀ କମର୍ଚାରୀ । ସେ ନିଜ କାମରେ ବହୁତ ବ୍ୟସ୍ତତା ଦେଖାଇ ସୁମିତ୍ରା ଏବଂ ପୁଅକୁ ବହୁତ ଅବହେଳା କରିଛନ୍ତି ।
ଦେବରାଜ ବର୍ତମାନ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି । ଦେବରାଜ ପାଠପଢ଼ା ସହ ଖେଳକୁଦରେ ବେଶ ଆଗୁଆ । ତେବେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ଦେହ ବାରମ୍ବାର ଖରାପ ହୋଇଥିଲା । ପରେ ମା’ ସୁମିତ୍ରା ପୁଅର ଡାକ୍ତରୀ ପରୀକ୍ଷା କରାଇବାରୁ ଦେବରାଜଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ସୁମିତ୍ରା ପୁଅକୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ବର୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ଆସିଥିଲା । ତେବେ ପୁଅର ଅଧିକ ଚିକତ୍ସା ପାଇଁ ରାଜ୍ୟ ବାହାରକୁ ତାଙ୍କୁ ନେବାର ଆବଶ୍ୟକତା ଥିବା ବେଳେ ବାପା କ୍ଷେତ୍ରବାସୀ କିନ୍ତୁ ଏଥିରେ ରାଜି ହୋଇନଥିଲେ । କ୍ଷେତ୍ରବାସୀ ଚାହୁଁଛନ୍ତି ପୁଅର ଚିକିତ୍ସା ସରକାରୀ ଡାକ୍ତରଖାନାରେ ହେଉ ବୋଲି । ଯେଉଁ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା । ଫଳରେ ବାଧ୍ୟହୋଇ ଏହି ଘଟଣା ମାଧ୍ୟମ କାଉନସିଲିଂ ସେଂଟରକୁ ଆସିଥିଲା । ପରେ ଉଭୟଙ୍କର ଉପଯୁକ୍ତ କାଉନସିଲିଂ କରାଯିବା ପରେ ବର୍ତମାନ କ୍ଷେତ୍ରବାସୀ ପୁଅର ଚିକିତ୍ସା କରାଇବାକୁ ରାଜି ହେବା ସହ ମାସିକ ନିର୍ଦ୍ଧାାରିତ ଟଙ୍କା ଦେବାକୁ ରାଜି ହୋଇଛନ୍ତି ।
