ଭୁବନେଶ୍ୱର,୨୪/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ଏକ ଦୁଃଖଦ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ, ପୁରୀ, କେନ୍ଦୁଝର ଏବଂ କଟକ ଜିଲାରେ ଏହି ଅଘଟଣଗୁଡ଼ିକ ଘଟିଛି ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମହୁଲପଡ଼ା ନିକଟସ୍ଥ ବଳଦିଆ ବନ୍ଧ ପଲେଇସାହି ପଥର ଖଣିରେ କାମ କରୁଥିବା ୪ ଜଣ ଶ୍ରମିକ ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ୨ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ପୁରୀ ଜିଲାର ଡେଲାଙ୍ଗ ଥାନା ଅନ୍ତର୍ଗତ କଅଁଳପଡ଼ା ଗାଁରେ ଜଣେ ଯୁବକ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ବର୍ଷା ସମୟରେ ସେ ଖେତରେ ତଳି ରୋଉଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।
କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ହଳଦିଆପଦା ଗାଁରେ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
କଟକ ଜିଲାର ଚୌଦ୍ୱାର ଥାନା ଅନ୍ତର୍ଗତ ବ୍ରହ୍ମପୁର ପଂଚାୟତର କାଞ୍ଜିଆ ଗାଁରେ ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ, ସେ ବିଲରେ କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
