ନିଶାକୁ ‘ନା’ ଜୀବନକୁ ‘ହଁ ’ – ଜିଲାପାଳ

କେନ୍ଦ୍ରାପଡ଼ା, ୨୬/୬/୨୦୨୪ (ଓଡ଼ିଶା ସମାଚାର)- ନିଶା ଏକ ସାମାଜିକ ବ୍ୟାଧି । ଏହି ବ୍ୟାଧିରୁ ମୁକ୍ତ ହୋଇ ସୁସ୍ଥ ଓ ଆନନ୍ଦପ୍ରଦ ଜୀବନ ଜୀଇଁବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଛନ୍ତି ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ‘ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ଦିବସ’ ପାଳନ ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଆୟୋଜିତ ସାଧାରଣସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜିଲାପାଳ କହିଛନ୍ତି “ଜୀବନରେ ନିଶାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ହେବ । ଏଥିପାଇଁ ପରିବାରଠୁ ଆରମ୍ଭ କରିବାକୁ ହେବ ସଚେତନତା ଆନ୍ଦୋଳନ ।” ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଏଡିଏମଓ ନୃପେନ୍ ଶତପଥି, ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ, ଭାରପ୍ରାପ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ପ୍ରୋଜେକ୍ଟ ସ୍ୱରାଜର ମ୍ୟାନେଜର ପୁଷ୍ପା ଜୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ ।ଏହି ଅବସରରେ ଆଜି ସକାଳସାଢେ ୮ଟା ସମୟରେ ଜିଲା କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ, ବଡ଼ହାଟ, କାକଟଛକ, ବାଲାବାବା ମଠ ଦେଇ ପୁଣି ଥରେ ଜିଲା କାର୍ଯ୍ୟାଳୟକୁ ପ୍ରତ୍ୟାବର୍ତନ କରିଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଏବଂ ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ । ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସଚେତନତା ରଥ ସହର ପରିକ୍ରମା କରି ଡାକବାଜି ଯନ୍ତ୍ର ଯୋଗେ ସଚେତନତା ବାର୍ତା ପ୍ରଚାର କରିଥିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ବାରିମୂଳ ନିଶାମୁକ୍ତି କେନ୍ଦ୍ର, ବିଭିନ୍ନ ସାମାଜିକ ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ଓ ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ପ୍ରତ୍ୟେକବର୍ଷ ଜୁନ୍ ୨୬ ତାରିଖରେ ପାଳନ ହୋଇଆସୁଛି ‘ଆନ୍ତର୍ଜାତିକ ନିଶା ନିବାରଣ ଓ ଅନୈତିକ ଚାଲାଣ ଦିବସ ।’ ଚଳିତବର୍ଷର ଥିମ୍ ରହିଛି “ପ୍ରମାଣ ସ୍ପଷ୍ଟ, ନିବାରଣରେ କର ନିବେଶ । ଅର୍ଥାତ୍ ନିଶା ଯୋଗୁଁ ଶାରୀରିକ ଓ ମାନିସିକ କ୍ଷତିର ଗଦାଗଦା ପ୍ରମାଣ ରହିଛି । ରୋଗ ପ୍ରତିରୋଧକ ଶକ୍ତି କମିବା ସହ ପରିବାରରେ ନାନା ଅଶାନ୍ତି ଓ ସମାଜରେ ହିଂସାର ପ୍ରମୁଖ କାରଣ ହେଉଛି ଏହି ନିଶା । ତେଣୁ ଏଥିରୁ ନିବୃତ ରହିବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ନିମନ୍ତ୍ରିତ ଅତିଥିମାନେ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *