ଜଗତସିଂହପୁ୨୯/୦୬/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସ୍ତରୀୟ ବିଂଶତମ ଜାତୀୟ ପରିସଂଖ୍ୟାନ ଦିବସ, ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଜଗତସିଂହପୁରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୦୭ ମସିହାରୁ ଭାରତୀୟ ପରିସଂଖ୍ୟାନର ଜନକ ସ୍ୱର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିଶଙ୍କ ଜନ୍ମ ଦିବସ ୨୯ ଜୁନକୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଜିଲ୍ଲା ସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ସଭାର ସଭାପତିତ୍ୱ କରିଥିଲେ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ୱ), ଜଗତସିଂହପୁର। ଶ୍ରୀ ରାଉତ କିଭଳି ଭାବେ ଜିଲ୍ଲାର ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ତଥ୍ୟ ସୁଚାରୁରୂପେ ସଂଗ୍ରହ କରାଯାଇ ଜିଲ୍ଲାରେ ପ୍ରଚଳିତ ବିଭିନ୍ନ ଯୋଜନା ଗୁଡିକୁ ସୁଚାରୁରୂପେ କାର୍ଯକାରୀ କରାଯାଇପାରିବ ସେ ବଷୟରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ରାଉତ ମଧ୍ୟ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ସମ୍ମନୂୟ ଆଶା କରିଥିଲେ ।
ସଭାରେ ଅତିଥିଭାବେ ଡ଼ ଦିଲ୍ଲୀପ ରାୟ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ (ପରିସଂଖ୍ୟାନ), ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଓଡ଼ିଶା ମଧ୍ୟ ଯୋଗ ଦେଇଥିଲେ । ଡ଼ ରାୟ ସ୍ୱର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିଶଙ୍କ ପରିସଂଖ୍ୟାନ ଜଗତକୁ ବିଭିନ୍ନ ଯୋଗଦାନ ଉପରେ ଆଲୋଚନା କରିଥିଲେ । ଡ଼ ରାୟ କିଭଳି ଭାବେ ତୃଣ ମୂଳ ସ୍ତରର ତଥ୍ୟକୁ ବ୍ୟବହାର କରି ବିଭିନ୍ନ ପଦକ୍ଷେପ ଓଡ଼ିଶା ସରକାର ନେଇଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ସେ ମଧ୍ୟ ଚଳିତ ବର୍ଷର ବିଷୟ – ପ୍ରଶାସନିକ ତଥ୍ୟର ଅନ୍ତର୍ନିହିତ କ୍ଷମତାର ଉନ୍ମୋଚନ (Unlocking the Potential of Administrative Data) ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।
ଅନ୍ୟ ଅତିଥି ଭାବେ ଡ଼ ବିବେକାନନ୍ଦ ସିଂ, ଅଧ୍ୟକ୍ଷ, ବାୟା ଅବଧୂତ କଲେଜ, ତିର୍ତ୍ତୋଲ ଯୋଗଦେଇ ପ୍ରଶାନ୍ତ ଚନ୍ଦ୍ର ମହାଲନୋବିଶଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଗୁରୁ୍ତ୍ୱାରୋପ କରିଥିଲେ । ସେ ମଧ୍ୟ ଚଳିତ ବର୍ଷର ଉପରଲିଖିତ ବିଷୟ ଉପରେ ଆଲୋଚନା କରିଥିଲେ ।
ସଭାକୁ ଶ୍ରୀ ରାମ ଚନ୍ଦ୍ର ମଲ୍ଲିକ୍, ଉପ-ନିର୍ଦ୍ଦେଶକ (ଯୋଜନା ଏବଂ ପରିସଙ୍ଖ୍ୟାନ) , ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଜଗତସିଂହପୁର ସୁଚାରୁରୂପେ ପରିଚାଳନା କରିଥିଲେ । ଶ୍ରୀମତୀ ପ୍ରମିଳା ସାହୁ, ପରିସଙ୍ଖ୍ୟାନ ଅଧିକାରୀ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସମେତ ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର କର୍ମଚାରୀ ମାନେ ଯୋଗଦେଇଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
