ନାରାୟଣ ପାଟଣା,୧୪/୦୭/୨୫(ଓଡିଶା ସମାଚାର) -କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକ ପୁଣି ଏବେ ଚର୍ଚାରେ। ପ୍ରେମୀ ଯୁଗଳଙ୍କ ବେକରେ ଲଙ୍ଗଳ ପକେଇ ବୁଲାଇବା ଘଟଣା ଏବେ ସାମଗ୍ର ଜିଲ୍ଲା ରେ ଚହଳ ପକେଇଛି। ଘଟଣାଟି ଶନିବାର ଦିନ ଘଟିଥିବା ବେଳେ ଏହାର ଏକ ଭିଡିଓ ମୋବାଇଲ ଠୁ ମୋବାଇଲ ଘୁରି ବୁଲିବା ପରେ ଗ୍ରାମରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଭୟ ପ୍ରେମୀ ଯୁଗଳଙ୍କ ସମେତ ଗ୍ରାମବାସୀ ଙ୍କୁ ପଚରାଉଚରା କରି ଫେରି ଆସିଛି। ଖବର ମୁତାବକ ନାରାୟଣପାଟଣା ପଞ୍ଚାୟତ ଅନ୍ତର୍ଗତ ବର୍ଗୀ ପଞ୍ଚାୟତ ର ପେଦା ଇଟିକି ଓ ନାରୀ ଇଟିକି ଗ୍ରାମର ଆସନ୍ତି ପୀଡିକା ଓ ନରୀ ପୀଡିକା ଦୁଇ ବର୍ଷ ହେଲାଣି ଦୁହେଁ ଦୁହିଁଙ୍କୁ ପ୍ରେମ କରି ଆସୁଥିଲେ।
ଦୁହିଁଙ୍କ ସାଙ୍ଗିଆ ଗୋଟେ ହୋଇଥିବା ବେଳେ ସାମାଜିକ ସ୍ୱୀକୃତି ନମିଳିବା ଦେଖି ଦୁହେଁ ଲୁଚିକି ଆନ୍ଧ୍ର ପ୍ରଦେଶ ଚାଲି ଯାଇଥିଲେ। ଖବର ବିଜୁଳି ବେଗରେ ଦୁଇଟି ଗ୍ରାମରେ ପହଞ୍ଚିବା ପରେ ଦୁହିଁଙ୍କୁ ଗ୍ରାମବାସୀ କୌଣସି ମତେ ନିଜ ନିଜ ଗ୍ରାମ କୁ ଫେରାଇ ଆଣି ଆଦିବାସୀ ସମାଜର ପ୍ରଥା ଅନୁଯାୟୀ ବେକରେ ଲଙ୍ଗଳ ପକେଇ ବୁଲାଇଥିଲେ। ରିଷ୍ଟ ଖଣ୍ଡନ ପାଇଁ ପ୍ରେମୀଯୁଗଳଙ୍କ କାନ୍ଧରେ ଯୁଆଳି ପକେଇ ଦେବୀ ପୀଠ ଆଗରେ ଘେରା ବୁଲାଇବା ସହ ଆମ୍ବପତ୍ର ପାଣି ସିଞ୍ଚି ଦୋଷମୁକ୍ତ କରାଯାଇଛି। ଏହାସହ ସେମାନଙ୍କୁ ଗ୍ରାମବାସୀ ସ୍ବାମୀସ୍ତ୍ରୀ ଭାବେ ସ୍ବୀକୃତି ଦେଇଛନ୍ତି।
କେହି ଏହାର ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରି ଭାଇରଲ କରିବା ପରେ ପୋଲିସ ପ୍ରଶାସନ ଆକ୍ସନ ମୁଡ଼ କୁ ଆସିଥିଲା।ଏନେଇ ବର୍ଗୀ ସରପଞ୍ଚ ରବିବାର ଦିନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳେଇଥିବା ବେଳେ ଏଯାଏଁ କାହାରିକୁ ଗିରଫ କରା ଯାଇନି। ଅପର ପଟେ ଆଇଆଇସି ପ୍ରମୋଦ ନାୟକ ସଦଳ ବଳେ ପ୍ରେମୀ ଯୁଗଳଙ୍କ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ପଚାରି ବାରେ ଲଙ୍ଗଳ ବୁଲାଇବା ସ୍ୱୀକାର କରିବା ସହ ଏହା ଆମ ପରମ୍ପରା ରେ ଅଛି ବୋଲି ଗ୍ରାମବାସୀ କହିଥିଲେ। ଗୋଟିଏ ସାଙ୍ଗିଆ ର ପୁଅ ଝିଅ ଭାଇ ଭଉଣୀ ଅଟନ୍ତି। ଯଦି ଗୋଟିଏ ସାଙ୍ଗିଆରେ ଥିବା ପୁଅ ଝିଅ ପ୍ରେମ ବିବାହ କରିବେ ତେବେ ଗାଁ ପ୍ରତି ବିପଦ ମାଡି ଆସିବ,ତେଣୁ ପୁରାତନ ଯୁଗରୁ ଚଳି ଆସିଥିବା ନିୟମ ଅନୁଯାୟୀ ଏହି ପରି ଯେଉଁ ମାନେ କରନ୍ତି ସେମାନଙ୍କୁ ରିଷ୍ଟ ଖଣ୍ଡନ ପାଇଁ ଏପରି ପ୍ରଥା /ନିୟମ ରହିଛି ବୋଲି କହିଥିଲେ। ଏହା କୌଣସି ଦଣ୍ଡ ନୁହେଁ ବୋଲି କହିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଘଟଣାର ପଛରେ ରହିଛି ଆଦିବାସୀ ସମାଜର ପୁରାତନ ପରମ୍ପରା। ସ୍ଥାନୀୟ ଲୋକଙ୍କ ପରମ୍ପରା ଅନୁସାରେ, ଗୋଟିଏ ବଂଶ ବା ଜାତିରେ ପ୍ରେମ ବିବାହ ହେଲେ ଗାଁରେ ଫସଲ ନଷ୍ଟ ହେବା, ଚାଷ ଉଜୁଡ଼ି ଯିବା, ବର୍ଷା ନହେବା ସହ ରୋଗବ୍ୟାଧି ଓ ଅଶାନ୍ତି ଦେଖାଦେବାର ବିଶ୍ୱାସ ରହିଛି। ଏହାକୁ ରୋକିବା ନିମନ୍ତେ ଗାଁ ଇଷ୍ଟଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି କରାଯାଇ ପ୍ରେମୀଯୁଗଳଙ୍କୁ ଗାଁରେ ପ୍ରବେଶ ଅନୁମତି ଦିଆଯିବାର ବିଧି ରହିଛି।
ବର୍ତମାନ ଏହି ଘଟଣା ଆଗକୁ କି ମୋଡ଼ ନେଉଛି ତାହା ଏବେ ଦେଖିବାକୁ ବାକି ରହିଲା।
