ବିଧାନସଭା ସଂଲଗ୍ନ ରାସ୍ତାମାନଙ୍କରେ ଟ୍ରାଫିକ୍ କଟକଣା ଲାଗୁ

ଭୁବନେଶ୍ୱର,୨୦/୦୯/୨୦୨୬ (ଓଡ଼ିଶା ସମାଚାର)- ସପ୍ତଦଶ ବିଧାନସଭା ର ସପ୍ତମ ଅଧିବେଶନ ଆସନ୍ତା ୨୨ ତାରିଖଠାରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ୟ୍ୟନ୍ତ ଚାଲିବ । ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାମାନଙ୍କରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ପଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ କେଶରୀ ଟକିଜ ଠାରୁ ବାମବଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ଏଜି ଛକ ପଟୁ ପିଏମ୍ଜି ଛକ ଆଡକୁ ଆସୁଥିବା ଯାନବାହନଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ବରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।

ମାଷ୍ଟରକ୍ୟାଣ୍ଟିନ ଛକ ପଟରୁ ଆସୁଥିବା ସମସ୍ତ ଯାନବାହନଗୁଡ଼ିକ ଲୋୟର ପିଏମ୍ଜି  ଛକଠାରୁ ବାମ କିମ୍ବା ଡାହାଣ ପାଶ୍ୱର୍ ରାସ୍ତା ଦେଇ ଯାଇପାରିବେ । ୧୨୦ ବାଟାଲିଅନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ପାୱାର ହାଉସ୍ ଛକ ଦେଇ ଯିବେ । ଲୋକଭବନ ଛକ ପଟୁ ଏମ୍ଏଲ୍ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ଶାସ୍ତ୍ରୀନଗର ଛକ ଦେଇ ଯିବେ ।

ଉପରୋକ୍ତ କଟକଣା ଗୁଡ଼ିକ ଜରୁରୀକାଳୀନ କାର୍ୟ୍ୟରେ ନିୟୋଜିତ ଥିବା ଯାନବାହନ(ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ୟ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହନ ନିମନ୍ତେ ଲାଗୁ ହେବନାହିଁ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି । ଉପରୋକ୍ତ କଟକଣା ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *