କେନ୍ଦ୍ରାପଡା ସଦରମହକୁମାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା,୦୩/୦୩/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୌରସଂସ୍ଥା ଟାଉନ୍ ହଲ ରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଉପ-ଜିଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡ଼ା ତହସିଲଦାର ତାପସ କୁମାର ଦେହୁରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ସହକାରୀ ଜିଲାପାଳ ଶାନ୍ତିଲତା ବୁଡିଆଲ, କେନ୍ଦ୍ରାପଡା ପୌରପରିଷଦର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍ ର ନିର୍ବାହୀଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ ।

ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୧୯୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୨୧ ଗୋଟି ସାମୁହିକ ଏବଂ ୧୭୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧.୫୮ ଲକ୍ଷ ଟଙ୍କା ୨୧ ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲାପାଳ ମଞ୍ଜୁର କରିଥିବା ବେଳେ ରେଡକ୍ରସ୍ ପାଣ୍ଠିରୁ ଜଣଙ୍କୁ ଚିକିତ୍ସା ସହାୟତା ବାବଦରେ ମୋଟ ୩ହଜାର ଟଙ୍କାର ଚେକ୍ ପ୍ରଦାନ ପାଇଁ ମଞ୍ଜୁର କରିଛନ୍ତି । ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ଯୋଗାଣ, ଚିକିତ୍ସା ପାଇଁ ଆର୍ଥôକ ସହାୟତା, ନୂତନ ରାସନ୍ କାର୍ଡ ପ୍ରଦାନ, ଅନ୍ତୋଦୟ ଯୋଜନାରେ ନାମ ସାମିଲ କରିବା, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା, ଜମି ସମସ୍ୟା ଓ ପୋଲିସ ସମସ୍ୟା ଆବେଦନ ପତ୍ର ଆଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା ।

ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଫ୍ଲାଏ ଓଭର ନିର୍ମାଣ, ବିଦ୍ୟୁତ ଯୋଗାଣ, ରାସ୍ତା ନିର୍ମାଣ, ରାସ୍ତା ପ୍ରଶସ୍ତିକରଣ, ପାନୀୟ ଜଳ ଯୋଗାଣ, ବେଆଇନ ଭାବେ ଅଧିକୃତ ସରକାରୀ ଜମି ଉଚ୍ଛେଦ ଆଦି ଅଭିଯୋଗ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ଏହି ଅଭିଯୋଗ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *