ଭୁବନେଶ୍ୱର,୨୦/୦୯/୨୦୨୬ (ଓଡ଼ିଶା ସମାଚାର)-ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମଭାବନାର ବ୍ୟାପକ ପ୍ରସାର କ୍ଷେତ୍ରରେ ଜଗନ୍ନାଥ ଦାସଙ୍କ ଭୂମିକା ଅତୀବ କଲ୍ୟାଣକର ଓ ସମୟୋପଯୋଗୀ ପଦକ୍ଷେପ, ଏହା ନିଃସନ୍ଦେହ । ତେଣୁ ମହାପୁରୁଷଙ୍କ ସାଧନା, ତ୍ୟାଗ, ସଂସ୍କାର, ନିଷ୍ଠା ଓ ଜାତୀୟତାବୋଧ ଯୁଗେ ଯୁଗେ ଓଡ଼ିଆ ଜାତି ପ୍ରତି ସର୍ବଦା ଚିର ସ୍ମରଣୀୟ ହୋଇ ରହିବ ବୋଲି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଆଲୋଚ୍ୟ ବିଷୟ : “ଶ୍ରୀମଦ୍ ଭାଗବତ ଓ ଅତିବଡ଼ୀ ଜଗନ୍ନାଥ ଦାସ’ ଶୀର୍ଷକ ଆଲୋଚନାଚକ୍ର ଉପରେ ଆମନ୍ତ୍ରିତ ମାନ୍ୟଗଣ୍ୟ ଅତିଥି ଓ ବକ୍ତାମାନଙ୍କ ଦ୍ୱାରା ଏହାର ବିଶେଷତା ଉପରେ ମତପ୍ରକାଶ ପାଇଥିଲା ।
ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପ ସମ୍ମୁଖରେ ଅବସ୍ଥିତ ଅତିବଡ଼ୀଙ୍କ ପ୍ରତିମୂର୍ତିରେ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ୱାରା ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ଏହାର ପରବର୍ତୀ ସାରସ୍ୱତ ସଭା ଅତିବଡ଼ୀଙ୍କ ଜନ୍ମପୀଠ କପିଳେଶ୍ୱରପୁର ଶାସନ ଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାନୀୟ ଅଧ୍ୟୟନରତ ଛାତ୍ର- ଛାତ୍ରୀ ଓ ଭାଗବତ ଭାଷ୍ୟକାର ଡକ୍ଟର ବଦ୍ରି ମିଶ୍ରଙ୍କ ଦ୍ୱାରା ଭାଗବତ ପଠନ କରାଯାଇଥିଲା । ପରବର୍ତୀ ହୋଇଥିବା କାର୍ଯ୍ୟକ୍ରମ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାମୁଖ୍ୟରେ ଆୟୋଜିତ ହୋଇଥିଲା ।
ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ୍ ପାତ୍ର ସମ୍ମାନସ୍ପଦ ଅତିଥି ଭାବେ ଯୋଗଦାନ କରି ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ସିଦ୍ଧସାଧକ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ କୃତି ଓ କୃତିତ୍ୱ ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ସୁସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର ଯୋଗଦାନ କରି ଅତିବଡ଼ୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ ।
