ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ୨୦୨୬ ପାଳିତ

ଯାଜପୁର,୧୯/୦୯/୨୦୨୬ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଚାରି ଶହରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ସହ ଶତାଧିକ ସହଯୋଗୀ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଅଭିଭାବିକା ତଥା ଯାଜପୁର ଜିଲ୍ଲାର ସମସ୍ତ ୧୧ ଗୋଟି ଓ.ଆ.ବି. ର  ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଉଭୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଂଯୋଜକ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସହଯୋଗୀ, କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଏହାର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୂର୍ବାହ୍ନ ୧୦.୩୦ ମିନିଟ୍ ରେ ଆୟୋଜନ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉପସ୍ଥିତ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କର ମାର୍ଗଦର୍ଶନ ପୂର୍ବକ ନିରନ୍ତର ଅଧ୍ୟବସାୟ କରି ଜୀବନରେ ବଡ ସଫଳତା ହାସଲ କରିବା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ, ଯାଜପୁର ଶ୍ରୀ ମହେଶ୍ୱର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଆଲୋକ ବନ୍ଧ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ୍ ସେନାପତି ଓ ଓ.ଆ ବିଦ୍ୟାଳୟର ନୋଡାଲ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଅନ୍ୟ ପକ୍ଷରେ ଅପରାହ୍ନ ୪.୦୦ ଘଟିକା ସମୟରେ ଆୟୋଜିତ ଉଦଯାପନି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଯାଜପୁର ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ବଖାଣିବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖେଇବା ସହ ନିରନ୍ତନ ପ୍ରୟାସ ପୂର୍ବକ ନିଜ ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରେରିତ କରିଥିଲେ। ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ ମାନ୍ୟବର ଯାଜପୁର  ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ ପ୍ରତିନିଧି ଭାବରେ ଯୋଗଦେଇ ତାଙ୍କର ବକ୍ତବ୍ୟରେ ପ୍ରତିଷ୍ଠା ଦିବସ ଅବସରରେ ଜୀବନରେ ଭଲ ମଣିଷ ହେବା ପାଇଁ ସର୍ବଦା ଚେଷ୍ଟିତ ରହିବାକୁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀମତୀ ସବିତା ସାହୁ, ବାଳିକା ସଂଯୋଜିକା ଶ୍ରୀମତୀ ଗାୟତ୍ରୀ ମହାନ୍ତି ଓ ନୋଡାଲ ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ଉଦଯାପନି ଉତ୍ସବରେ ଅତିଥି ରୂପେ ଯୋଗଦେଇ ସେମାନଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ।

ଶେଷରେ ବକ୍ତୃତା, କବିତା, କୁଇଜ୍, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ସାମୂହିକ ଭାବରେ ମଞ୍ଚ ଉପରେ ପ୍ରମାଣପତ୍ର ତଥା ପୁରସ୍କାର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସବିତା ସାହୁ ଓ ଆଲୋକ କୁମାର ବନ୍ଧ ଉପସ୍ଥିତ ଥିଲେ  ।

ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟକ୍ଷ/ ଅଧ୍ୟକ୍ଷା, ଅଭିଭାବକ  ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *