ଭୁବନେଶ୍ୱର, ୧୯/୦୯/୨୦୨୬ (ଓଡ଼ିଶା ସମାଚାର)-ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଅକାଳ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବା ଲାଗି ଘୋଷଣା ହୋଇଛି। ମଧ୍ୟପ୍ରଦେଶର ଆଗର-ମାଲୱା ଜିଲା ନଲଖେଡ଼ା ସ୍ଥିତ ପ୍ରସିଦ୍ଧ ମା’ ବାଗଲାମୁଖୀ ମନ୍ଦିର ନିକଟରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବନମାଳୀ ବେହେରାଙ୍କ ପରିବାର ଗତ ସେପ୍ଟେମ୍ବର ୧୬ ତାରିଖରେ ଉଜ୍ଜୟିନୀ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ମା’ ବାଗଲାମୁଖୀ ମନ୍ଦିର ଆଡ଼କୁ ଯାଉଥିବା ସମୟରେ, ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପ୍ରବାହିତ ହେଉଥିବା ଏକ ଜଳସ୍ରୋତକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ଗାଡ଼ିଟି ହଠାତ ଭାସି ଯାଇଥିଲା। ଏହି ଦୁର୍ଘଟଣାରେ କାର୍ରେ ଥିବା ଓଡ଼ିଶାର ୭ ଜଣ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଓଡ଼ିଆଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି, ଯେଉଁମାନଙ୍କ ପରିଚୟ ଶିବପ୍ରସାଦ ବେହେରା, ରୋଜାଲିନ ବେହେରା, ରୀତାରାଣୀ ବେହେରା, ଜ୍ଞାନେନ୍ଦ୍ର ବେହେରା, ସାଈ ସ୍ବର୍ଣ୍ଣପ୍ରଭା ବେହେରା, କୃଷ୍ଣା ରାଜବୀର ଏବଂ ସାଈ ସ୍ବସ୍ତିକ ବେହେରା ଭାବେ ଚିହ୍ନଟ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ’ଓଡ଼ିଶା ପରିବାର’ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟପ୍ରଦେଶ ପ୍ରଶାସନ ସହ ଯୋଗାଯୋଗ କରି ମୃତଦେହଗୁଡ଼ିକୁ ସମ୍ମାନର ସହ ଓଡ଼ିଶା ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ’ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ’ରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ମଧ୍ୟପ୍ରଦେଶର ଆଗର ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି।
