ଜଗତସିଂହପୁର, ୨୩/୮/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା ଅଦାଲତରେ କୃତ୍ରିମ ବୁଦ୍ଧିକୁ ବ୍ୟବହାର କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଇଂରାଜୀ ଭାଷାରୁ ଆଞ୍ଚଳିକ ଭାଷାରେ ଅନୁବାଦ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଭିଡ଼ିଓ କନଫରେନ୍ସ ନିୟମ ୨୦୨୦, ସିଭିଲ ପ୍ରୋସେଡିୟର,ଏ.ଡି.ଆର୍ ନିୟମ ୨୦୦୭ ଏବଂ ମଧ୍ୟସ୍ଥତା ନିୟମ ସମ୍ପର୍କରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣ ର ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଡହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ପୋକ୍ସୋ,ଫାଷ୍ଟ ଟ୍ରାକିଂ ଅଦାଲତ), ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ପୋକ୍ସୋ),ଜିଲ୍ଲା ଓକିଲ ସଂଘ ସମ୍ପାଦକ, ମୁଖ୍ୟ ଆଇନ୍ ସହାୟତା ପ୍ରତିରକ୍ଷା ଓକିଲ,ଜିଲ୍ଲା ଅଦାଲତର ବରିଷ୍ଠ ବିଚାରପତି ବୃନ୍ଦ,ଆଇନଜିବୀ ବୃନ୍ଦ, ସମ୍ମୁଖ କାର୍ଯ୍ୟାଳୟର ରିଟେନର ପ୍ରମୁଖ ଉପସ୍ଥିତ ଥିଲେ।ଆଡହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମୁଖ୍ୟ ବକ୍ତା ଭାବରେ ପୋକ୍ସୋ ଅଦାଲତର ବିଚାରପତି ହର ପ୍ରସାଦ ପଟ୍ଟନାୟକ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଭିଡ଼ିଓ କନଫରେନସିଂ ନିୟମ ୨୦୨୦ ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ଅନ୍ୟତମ ବକ୍ତା ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଦକ କାଟଜି ଏ.ଡି.ଆର୍ ନିୟମ ୨୦୦୭ ଓ ମଧ୍ୟସ୍ଥତା ନିୟମ ବିଷୟରେ ମତବ୍ୟକ୍ତ କରିଥିଲେ। ଅଦାଲତର କର୍ମଚାରୀ ବିରଞ୍ଚି ନାରାୟଣ ଶତପଥୀ କାର୍ଯ୍ୟକ୍ରମରେ ଯୋଗଦେଇ କୃତ୍ରିମ ବୁଦ୍ଧିକୁ କିପରି ବ୍ୟବହାର କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଇଂରାଜି ଭାଷାରୁ ଆଞ୍ଚଳିକ ଭାଷାରେ ଅନୁବାଦ କରିହେବ ଏହି ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ଶେଷରେ ପ୍ରାଧିକରଣ ସଚିବ ଧନ୍ୟବାଦ୍ ଅର୍ପଣ କରି ଆଡହକ ପୋକ୍ସୋ ଅଦାଲତ ବିଚାରପତିଙ୍କ ଅନୁମତି କ୍ରମେ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।
ଆଇନ୍ ସଚେତନତା କାର୍ଯ୍ୟକ୍ରମ
