କେନ୍ଦ୍ରାପଡାରେ ରାଜ୍ୟ କିଷାନ କଂଗ୍ରେସର ବିଶାଳ କିଷାନ ଅଧିକାର ଯାତ୍ରା

ଚାଷୀ ଋଣ ଛାଡ ସହ କ୍ଷତିପୁରଣ ପ୍ରଦାନ ପାଇଁ ସରକାରଙ୍କୁ ଦାବି
କେନ୍ଦ୍ରାପଡ଼ା, ୧୮/୦୯/୨୦୨୬ (ଓଡ଼ିଶା ସମାଚାର)- ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲାର ଢୋଲ ପଂଚାୟତରେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଏକ ବିଶାଳ ‘କିଷାନ ଅଧିକାର ଯାତ୍ରା’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କ ସ୍ୱାର୍ଥ ରକ୍ଷା ତଥା ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢ଼େଇକୁ ଆହୁରି ତେଜିୟାନ କରିବାକୁ ଆହ୍ୱାନ ଦେଇଥିଲେ ।

ଏହି ସମାବେଶରେ ଉଦ୍ବୋଧନ ଦେଇ ପୂର୍ବତନ ବିଧାୟିକା ଡ. ମଲ୍ଲିକ ଏବଂ କିଷାନ କଂଗ୍ରେସ ସଭାପତି ଶ୍ରୀ ସାହୁ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସେମାନେ ସରକାରଙ୍କ ନିକଟରେ ୪ ଦଫା ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ । ଦାବି ଗୁଡିକ ମଧ୍ୟରେ ସମସ୍ତ ଚାଷୀଙ୍କ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯିବା, ଯୋଗ୍ୟ ଚାଷୀଙ୍କୁ ବିନା ବିଳମ୍ବରେ ଫସଲ ବୀମା ରାଶି ଯୋଗାଇ ଦିଆଯିବା, ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବା, ସାମ୍ପ୍ରତିକ ବନ୍ୟାଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ପାଇଁ ସ୍ୱତନ୍ତ୍ର ସହାୟତା ରାଶି ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କିଷାନ କଂଗ୍ରେସ ଉପସଭାପତି କାର୍ିକ ବରାଳ, ଶିତିକାନ୍ତ ମହାନ୍ତି, ଅରୁଣ ଜେନା, ସଂଯୋଜକ କାଶୀନାଥ ସ୍ୱାଇଁ, ରାଜ୍ୟ କିଷାନ କଂଗ୍ରେସ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ) ସଦସ୍ୟ ହିମାଂଶୁ ଭୂଷଣ ନନ୍ଦ, କେନ୍ଦ୍ରାପଡ଼ା ଜିଲା କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡ଼ା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କେନ୍ଦ୍ରାପଡ଼ା ବ୍ଲକ ସଭାପତି ହରୀଶ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଅମର ପ୍ରସାଦ ରାଉତ, ଢୋଲ ପଂଚାୟତ ସଭାପତି ରେବତୀ ରମଣ ରାଉତ, କେନ୍ଦ୍ରାପଡ଼ା ପୌରାଂଚଳର ସେକ୍ ସଗିର ହୁସେନ ଏବଂ ନଗର କଂଗ୍ରେସ ଉପସଭାପତି ଶେଖ ଅନଶଙ୍କ ସମେତ ଦଳୀୟ ନେତୃବୃନ୍ଦ, କର୍ମୀ ତଥା ସ୍ଥାନୀୟ ଚାଷୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *