ସ୍ୱାସ୍ଥ୍ୟ ଓ ପୁନର୍ବାସ ବ୍ୟବସ୍ଥାରେ ଅକୁପେସନାଲ୍ ଥେରାପିର ଗୁରୁତ୍ୱ ଉପରେ ଆଲୋକପାତ
ଭୁବନେଶ୍ୱର, ୦୨/୧୧/୨୦୨୬(ଓଡ଼ିଶା ସମାଚାର)- ଅଲ୍ ଇଣ୍ଡିଆ ଅକୁପେସନାଲ୍ ଥେରାପିଷ୍ଟସ୍ ଆସୋସିଏସନ୍ (ଏଆଇଓଟିଏ)ସହ ଅନୁବନ୍ଧିତ ଓଡ଼ିଶା ଶାଖା (ଓବିଏଆଇଓ ଟିଏ) ପକ୍ଷରୁ ରବିବାର ଏମ୍ସ ଭୁବନେଶ୍ୱରର ମୁଖ୍ୟ ଅଡିଟୋରିୟମରେ ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ‘ଉଟକନ୍-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘Restore, Rehabilitate and Reconnect: Occupational Therapy Enabling Life Beyond Limitations’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ତଥା ଦେଶରତୃଣମୂଳ ସ୍ତରରେ ଅକୁପେସନାଲ୍ ଥେରାପିର ସମ୍ପ୍ରସାରଣ ଉପରେ ସେ ଗୁରୁତ୍ୱାରୋପ କରା ଯାଇଛି ।
ଅକୁପେସନାଲ୍ ଥେରାପି ବିଶେଷଜ୍ଞ, ଗବେଷକ, ଡାକ୍ତର ତଥା ଛାତ୍ରଛାତ୍ରୀ ଯୋଗଦେଇ ପୁନର୍ବାସ ଚିକିତ୍ସା କ୍ଷେତ୍ରରେ ଘଟୁଥିବା ନୂତନ ବିକାଶ ଓ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ଶୁଭାଶିଷ ମହାନ୍ତି ଏବଂ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସଙ୍ଗୀତା ବେହେରା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା, ପୁନର୍ବାସ ଏବଂ ଅନ୍ତର୍ଭୁକ୍ତୀକରଣ ବିକାଶ ଆଜିର ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିନ୍ନକ୍ଷମ ତଥା ସ୍ୱତନ୍ତ୍ର ପୁନର୍ବାସ ଆବଶ୍ୟକ କରୁଥିବା ବ୍ୟକ୍ତିବିଶେଷଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ଆଲାଇଡ୍ ହେଲ୍ଥ ପ୍ରଫେସନାଲ୍ସମାନଙ୍କ ଅବଦାନ ପ୍ରଶଂସନୀୟ। ସେ ଆହୁରି ମଧ୍ୟ କହିଥିଲେ ଯେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ବାକୁ ସେ ଆହ୍ଵାନ ଦେଇଥିଲେ lତୃଣମୂଳ ସ୍ତରରେ ବିଶେଷ କରି ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅକୁପେସନାଲ୍ ଥେରାପିର ସମ୍ପ୍ରସାରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଉଦ୍ଘାଟନ ପରେ ସାଇଣ୍ଟିଫିକ୍ ପୋଷ୍ଟର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ, ଯେଉଁଥିରେ ଛାତ୍ରଛାତ୍ରୀ ଏବଂ ବିଶେଷଜ୍ଞମାନେ ସେମାନଙ୍କର ଗବେଷଣାତ୍ମକ ତଥ୍ୟ, ନୂତନ ଉଦ୍ଭାବନ ଏବଂ ପ୍ରମାଣ-ଆଧାରିତ ପୁନର୍ବାସ ପଦ୍ଧତି ପ୍ରଦର୍ଶନ କରିଥିଲେ।
ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟସେବାର ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟକ ସ୍ତରରେ ଅକୁପେସନାଲ୍ ଥେରାପିକୁ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା, ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ଉନ୍ନତ ପୁନର୍ବାସ ସେବା ପାଇପାରିବେ। ଏହା ବ୍ୟତୀତ ସ୍ନାୟୁଗତ ପୁନର୍ବାସ,ମାନସିକ ରୋଗ ଏବଂ ଉପଶମକାରୀ ଚିକିତ୍ସା ସମ୍ପର୍କିତ ବିଭିନ୍ନ ବୈଜ୍ଞାନିକ ଓ ଶିକ୍ଷାଗତ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ‘ଉଟକନ୍-୨୦୨୬’ର ସଂଗଠନ ସମ୍ପାଦକ ଡା. ଦେବାଶିଷ ପଣ୍ଡା (ଓଟି) ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, ସମ୍ମାନିତ ଅତିଥିବୃନ୍ଦ, ଏମ୍ସ ଭୁବନେଶ୍ୱର, ପ୍ରାୟୋଜକ, ପ୍ରତିନିଧି ଏବଂ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଓଡ଼ିଶାରେ ଏହି ସମ୍ମିଳନୀ ଅକୁପେସନାଲ୍ ଥେରାପିଷ୍ଟମାନଙ୍କୁ ଏକତ୍ରିତ କରିବା ସହ ଲୋକଙ୍କ ନିକଟରେ ସଚେତନତା ଓ ଉନ୍ନତ ଚିକିତ୍ସା ସେବା ପହଞ୍ଚାଇବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ।
