ନିମାପଡ଼ା,୦୨/୧୧/୨୦୨୬(ଓଡ଼ିଶା ସମାଚାର)-ନିମାପଡ଼ା ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଲିଟିଲ୍ ଷ୍ଟାର ଗ୍ରୁପ୍ର ୨୫ତମ ରୌପ୍ୟ ଜୟନ୍ତୀ କୁମାର ଉତ୍ସବ ‘ଫୁଲ ବଉଳ ବେଣୀ’ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଦେବୀ ମଣ୍ଡପ ପ୍ରାଙ୍ଗଣରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ର ଯାତ୍ରା ଅନୁଷ୍ଠାନ ‘ବର୍ଷା ରାଣୀ’ ପକ୍ଷରୁ ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥିଲା।
ଆଧୁନିକତାର ପ୍ରଭାବରେ ଧୀରେ ଧୀରେ ପାରମ୍ପରିକ କଳା ଓ ସଂସ୍କୃତିଠାରୁ ଦୂରେଇ ଯାଉଥିବା ନୂତନ ପିଢ଼ିକୁ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ନାଟକୀୟ କଳା ସହ ପରିଚିତ କରାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଶେଷକରି କୁନି କୁନି ପିଲାଙ୍କ ମଧ୍ୟରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଅନୁଷ୍ଠାନର ଏହି ପ୍ରୟାସକୁ ଉପସ୍ଥିତ ଦର୍ଶକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଦୀର୍ଘ ୨୫ ବର୍ଷ ଧରି ଅନୁଷ୍ଠାନ ସହ ଜଡ଼ିତ ରହିଥିବା ଅଞ୍ଚଳର କଳାକାର, କର୍ମକର୍ତ୍ତା ଓ ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଉତ୍ସବରେ ପୂର୍ବତନ ପୋଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ, ଡାକ୍ତର ତଥା ଚଳଚ୍ଚିତ୍ର ଅଭିନେତା ଚିତ୍ତରଞ୍ଜନ ମିଶ୍ର, ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ଖୋଟେଇ, ଡ. ରବୀନ୍ଦ୍ରନାଥ ପାଢ଼ୀ ଓ ଅଭିନେତ୍ରୀ ବର୍ଷାରାଣୀ ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ। ଗ୍ରୁପ୍ର ଉପଦେଷ୍ଟା ଡ. ପ୍ରଣବ ସ୍ୱାଇଁ ସଭା ପରିଚାଳନା କରିଥିଲେ। ପରିଶେଷରେ କୁନି କୁନି ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
