ବାଇକ ଆରୋହୀଙ୍କ ପେଟରେ ପଶିଗଲା ଗଛଡାଳ

କେନ୍ଦ୍ରାପଡ଼ା, ୧୮/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତ ବାଇପୁର ଗ୍ରାମର ଜଣେ ବାଇକ ଆହୋହୀଙ୍କ ପେଟରେ ଗଛ ଡାଳ ପଶି ଯାଇଛି । ଗୁରୁତର ଆହତ ଯୁବକଙ୍କ ନାମ ହେଉଛି ବିଚିତ୍ର ପ୍ରଧାନ ଓ ତାଙ୍କ ଘର ବାଇପୁର ଗ୍ରାମରେ ବୋଲି ଜଣାପଡିଛି । ଗଛ ଡାଳଟି ତାଙ୍କ ପେଟ ବାଟେ ପଶି ପିଠି ବାଟେ ବାହାରି ଯାଇଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କ ପେଟରୁ ଗଛ ଡାଳ ବାହାର କରିବା ପାଇଁ ଅସମର୍ଥ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଖବର ନେବାରୁ ଜଣାପଡିଛି ବିଚିତ୍ର କୌଣସି କାର୍ଯ୍ୟରେ ବାଇପୁର ଗ୍ରାମରୁ କେନ୍ଦ୍ରାପଡ଼ା ସହର ଅଭିମୁଖେ ବାଇକରେ ଆସୁଥିଲେ । ବାଇକ ଚଳାଇ ଗ୍ରାମରୁ କିଛି ଦୂର ଯାଇଥିବା ବେଳେ ହଠାତ ବିଜୁଳି ଓ ଘଡଘଡି ମାରିଲା । ଫଳରେ ଏକ ଗଛର ଡାଳ ଭାଙ୍ଗି ତାଙ୍କ ବାଇକ ଉପରେ ପଡିବା ସହ ତାଙ୍କ ପେଟରେ ପଶିଯାଇଥିଲା ।

ଫଳରେ ଘଟଣା ସ୍ଥଳରେ ତାଙ୍କ ଅନ୍ତବୁଜୁଳା ବାହାରି ପଡିଥିଲା । ସେହି ରାସ୍ତାରେ ଯାଉଥିବା କଂସାର ଗ୍ରାମପଂଚାୟତର ପୂର୍ବତନ ସରପଂଚ ତଥା ଓସ୍ତପୁର ପ୍ରାଥମିକ ସମବାୟ ସମିତି ସଭାପତି ପ୍ରଦୁ୍ୟମ୍ନ କୁମାର ଜେନା ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନେଇଥିଲେ । କେନ୍ଦ୍ରାପଡ଼ା ଡାକ୍ତରଖାନାରେ ତାଙ୍କୁ ଆଶୁ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *