ଭୁବନେଶ୍ୱର, ୨୮/୦୫/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ନିର୍ବାଚନ କମିଶନର ୩ଟି ନିର୍ଦ୍ଦେଶ ଦେଇଛନ୍ତି । ଏକ ପୋଲିଂ ବୁଥ୍ ରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭଙ୍ଗା ଅଭିଯୋଗ ଘଟଣାର ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି, ନିର୍ବାଚନ ଆୟୋଗ ଭାରତୀୟ ପୁଲିସ ସେବାରେ କାର୍ଯ୍ୟରତ ଅଧିକାରୀ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବନ କରିଛନ୍ତି। ଏ ନେଇ ନିର୍ବାଚନ ଆୟୋଗ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ ଆଇପିଏସ ଡିଏସ୍ କୁଟ୍ଟେ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ନିଲମ୍ବନ କରାଯାଇଛି। ନିଲମ୍ବନ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି କାର୍ଯ୍ୟ କରିବେ। କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ଭାରତୀୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ, ନିର୍ବାଚନ ଆୟୋଗ ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ମଧ୍ୟ ଆଶିଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଶିଷ ସିଂହ ମେ’ ୪ରୁ ମେଡିକାଲ ଲିଭରେ ଅଛନ୍ତି ।