କେନ୍ଦ୍ରାପଡ଼ା, ୧୫/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅଧିନ ଗାଙ୍ଗପଡା ପଂଚାୟତର ସୋବଳା ଗାଁର ଦୈତାରୀ ଭୋଇଙ୍କ ୪ ବଖରା ଚାଳଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡି ପାଉଁଶ ହୋଇଯାଇଛି । ଘରେ ଧାନ ଚାଉଳ ଆସବାବପତ୍ର ଯାହା ଥିଲା ସବୁ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ଭୟାବହତା ଏତେ ପ୍ରଖର ଥିଲା ଯେ ନିଆଁ ଦାଉରୁ କିଛି ଜିନିଷପତ୍ର ଉଦ୍ଧାର କରାଯାଇପାରି ନଥିଲା । ଅପରାହ୍ନ ୧୨ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା ।
ଦୈତାରୀଙ୍କ ପତ୍ନୀ ପ୍ରମିଳା ପାଟି କରି ଡାକପକାଇବାରୁ ପାଖ ପଡୋଶୀ ମାନେ ଦୋ÷ଡି ଆସିଥିଲେ । ହେଲେ ନିଆଁର ଭୟାବହକୁ ଦେଖି କେହିବି ନିଆଁ ପାଖକୁ ଯାଇନଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଗାଡି ପହଂଚିବା ବେଳକୁ ଚାରି ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଦୁଇଟି ଅଗ୍ନିଶମ ଗାଡିକୁ ନିଆଁ ଲିଭାଇବା ପାଇଁ ପ୍ରାୟ ଦୁଇଘଂଟା ସମୟ ଲାଗିଥିଲା । ନିଆଁ ସିନା ଆୟତ ହୋଇଥିଲା ହେଲେ ସେତେବେଳକୁ ଘର ଭିତର ବାକ୍ସରେ ଥିବା ଟଙ୍କା ୧୦ ହଜାର ଟଙ୍କା, ବାସନ, ଡାଲିଚାଉଳ, ପନିପରିବା, ଲୁଗାପଟା ସହିତ ସୁନା କାନଫୁଲ, ସୁନାଶାଂଖି ଇତ୍ୟାଦି ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା ।
ପାଖ ପଡୋଶୀ ପ୍ରହଲ୍ଲାଦ ରାଉତ ରଖିଥିବା ତିନି ଏକର ଜମିର ପାଳଗଦା ମଧ୍ୟ ସମ୍ପୂର୍ଣ୍ଣ ପୋଡିଯାଇଛି । ଖବରପାଇ ବିଧାୟକ ଗଣେଶ୍ୱର ବେହେରା ଓ ଗାଙ୍ଗପଡା ସରପଂଚ ଅଶ୍ୱିନୀ କୁମାର ପାତ୍ର ପହଂଚି ପାଲ ଓ ସୁଖିଲା ଖାଦ୍ୟ ଦେଇଛନ୍ତି । ଦୈତାରୀଙ୍କ ପରିବାର ଏବେ ବେସାହାରା ହୋଇପଡିଛନ୍ତି । ତୁରନ୍ତ ଅନ୍ତୋଦୟ ଗୃହ ଯୋଜନାରେ ଦୈତାରିଙ୍କୁ ପଚକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।