ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜିଲା ସ୍ତରୀୟ ଦୀପ ପ୍ରଜ୍ଜ୍ୱଳନ
କେନ୍ଦ୍ରାପଡ଼ା, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟବ୍ୟାପୀ “ସେବା ସଂକଳ୍ପ ପର୍ବ” ପାଳନର ଶୁଭାରମ୍ଭ ଅବସରରେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ାସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଜିଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି ଶୋଶାଙ୍କ ଶେଖର ସେଠୀ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ,ଡିପିସି, ମିଶନ ଶକ୍ତି ଆରତୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ଶ୍ରଦ୍ଧାଳୁ ଓ ବହୁ ସଂଖ୍ୟକ ସାଧାରଣ ଜନତା ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ୧୭ ସେପ୍ଟେମ୍ବର ୨୦୨୬ ଠାରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା “ସେବା ସଂକଳ୍ପ ପର୍ବ”ର ଏକ ଅଂଶବିଶେଷ । ସେବା, ସମର୍ପଣ, ଜନସେବା ଓ ଜନକଲ୍ୟାଣର ଭାବନାକୁ ଆହୁରି ସୁଦୃଢ଼ କରିବା ଏହି ପର୍ବର ମୁଖ୍ୟ ଉଦ୍ଧେଶ୍ୟ ।‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ ଅବସରରେ ଜିଲାପାଳ ଶ୍ରୀ ଆୟରଙ୍କ ସମେତ ଉପସ୍ଥିତ ଅଧିକାରୀ, ଜନପ୍ରତିନିଧି, ଶ୍ରଦ୍ଧାଳୁ ଓ ସାଧାରଣ ଜନତା ଦୀପ ପ୍ରଜ୍ୱଳନ କରି ସମାଜରେ ସେବା, ସହଯୋଗ, ସମର୍ପଣ ଓ ମାନବିକତାର ଆଲୋକ ପ୍ରସାର ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ କେବଳ ଜିଲାସ୍ତରରେ ସୀମିତ ନରହି ଆଜି ଜିଲାର ବିଭିନ୍ନ ବ୍ଲକ, ପଂଚାୟତ, ଗ୍ରାମାଂଚଳ ଏବଂ ଘରେ ଘରେ ମଧ୍ୟ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବକ-ଯୁବତୀ, ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଜନସାଧାରଣଙ୍କ ସହଭାଗିତାରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । 
ଏହି ଅବସରରେ ସମାଜର ପ୍ରତ୍ୟେକ ବର୍ଗଙ୍କୁ “ସେବା ସଂକଳ୍ପ ପର୍ବ” ସହ ଯୋଡ଼ି ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ଆହ୍ୱାନ କରାଯାଇଛି । ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସହଯୋଗ ମାଧ୍ୟମରେ ସେବା, ସମର୍ପଣ ଓ ଜନକଲ୍ୟାଣର ବାର୍ତାକୁ ଘରେ ଘରେ ପହଂଚାଇବା ସହିତ ସମାଜରେ ଏକତା, ସହଯୋଗ ଓ ସାମୂହିକ ଦାୟିତ୍ୱବୋଧକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଆସନ୍ତା ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ “ସେବା ସଂକଳ୍ପ ପର୍ବ” ଅବସରରେ ବିଭିନ୍ନ ସେବାମୂଳକ, ଜନକଲ୍ୟାଣମୂଳକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜିଲାର ବିଭିନ୍ନ ସ୍ତରରେ ଆୟୋଜିତ ହେବ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଭାଗିତା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି ।
