ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଅଷ୍ଟମ ଶ୍ରାଦ୍ଧ ପାଳନ
ଭୁବନେଶ୍ୱର,୧୬/୦୯/୨୦୨୬ (ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରମାୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଅଷ୍ଟମ ପୂଣ୍ୟତିଥି ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବରିଷ୍ଠ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ସ୍ୱର୍ଗତ ପ୍ରଧାନ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ଦେଶ ସ୍ୱାଧୀନତା ପାଇଁ ବାନର ସେନାରେ ଯୋଗ ଦେଇ କାରାବରଣ କରିଥିଲେ । ୪ବର୍ଷ କାରାଗାର ଜୀବନରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଠାରୁ ଜେଲ୍ ଭିତରେ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ ୧୯୪୫ ମସିହାରେ କାରାଗାରରୁ ମୁକ୍ତ ହେବା ପରେ ସ୍ୱାଧୀନ ଭାରତରେ ଗ୍ରାମର ଉନ୍ନତିକୁ ବ୍ରତ କରି ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକୁ ଗ୍ରାମାଳରେ ପ୍ରୟୋଗ କଲେ । ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେ ଗାନ୍ଧୀନୀତିରେ କାର୍ଯ୍ୟ କରୁଥିଲେ ଓ ନୀତିନିଷ୍ଠ ଥିଲେ ।
ମୁଖ୍ୟ ଅତିଥି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସତ୍ୟ ନାରାୟଣ ଆଚାର୍ଯ୍ୟ ସ୍ୱର୍ଗତ ପ୍ରଧାନଙ୍କୁ ଜଣେ ଯୋଗଗୁରୁ ଭାବେ ବର୍ଣ୍ଣନା କରିଥିଲେ । ଜୀବନକାଳ ମଧ୍ୟରେ ସେ ଏଲୋପାଥି ଔଷଧ ଗ୍ରହଣ କରିନଥିଲେ, କିନ୍ତୁ ଯୋଗ ପ୍ରାଣାୟମ ଦ୍ୱାରା ସେ ୯୨ ବର୍ଷ ବଂଚିଥିଲେ । ନୂତନ ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ ।
ଦୈନିକ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସେ ଜଣେ ସମୟାନୁବର୍ତୀ ରାଜନେତା ଥିଲେ । ସମୟକୁ ସେ ଗୁରୁତ୍ୱ ଦେଉଥିଲେ । ତାଙ୍କର ଦିନଚର୍ଯ୍ୟା ସମକାଳୀନ ନେତୃବୃନ୍ଦଙ୍କୁ ପ୍ରଭାବିତ କରୁଥିଲା । ଠିକ୍ ମଧ୍ୟାହ୍ନ ୧୨ଟା ବେଳେ ମଧ୍ୟହ୍ନଭୋଜନ କରୁଥିଲେ, ୫ ମିନିଟ୍ ବିଳମ୍ବ ହେଲେ ସେ ଖାଦ୍ୟ ଗ୍ରହଣ କରୁନଥିଲେ । କେହି ଏ ବିଷୟରେ ପ୍ରଶ୍ନ କଲେ ସେ ତାର ସରଳ ଉତର ଦେଉଥିଲେ । ଭଗବାନଙ୍କ ତରଫରୁ ମୋର ଆଜି ପଡ଼ିକାଟ୍ ହୋଇଛି ।
ସମ୍ମାନିତ ଅତିଥି ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ବହୁତ କମ୍ ଲୋକ ଇଚ୍ଛାମୃତୁ୍ୟ ଗ୍ରହଣ କରିଥାନ୍ତି । ସେ ପ୍ରକୃତରେ ଥିଲେ ଜଣେ ସନ୍ଥ ମହାତ୍ମା । ମୃତୁ୍ୟର ୧୫ ଦିନ ପୂର୍ବରୁ ସେ ମୃତୁ୍ୟ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ଶୁଭେଚ୍ଛୁମାନଙ୍କ ସମସ୍ତ ଚେଷ୍ଟା ସତ୍ୱେ ସେ ଡାକ୍ତରଖାନା ନଯାଇ ମୃତୁ୍ୟ ସମୟକୁ ଅପେକ୍ଷା କରି ପିଲାମାନଙ୍କୁ ଜଣାଇଦେଇ ହସି ହସି ବିଦାୟ ନେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣ ଓ ଶେଷରେ ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପୂର୍ବରୁ ସ୍ନିଗ୍ଧା ଏକାଡ଼େମୀର ଶିଶୁ କଳାକାର ସୁଶ୍ରୀ ଆରାଧ୍ୟା ସାହୁ ଦଶବତାର ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଡଃ ପିତାମ୍ବର ବିଶ୍ୱାଳଙ୍କୁ ଗାନ୍ଧୀମଣିଷ ଦୋଳଗୋବିନ୍ଦ ନୃତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ପ୍ରଜ୍ଞାରାଜ ପ୍ରଧାନ, ନିବେଦିତା ଭଞ୍ଜ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ବରୁଣରାଜ, ଅମୂଲ୍ୟ ଜେନା, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ପୂର୍ବରୁ ପାତ୍ରପଡ଼ାସ୍ଥିତ ସ୍ମୃତିବନରେ ବୃକ୍ଷପୂଜା, ସ୍ୱାମୀ ବ୍ରହ୍ମାନନ୍ଦ ଆଶ୍ରମରେ ଶାନ୍ତିଯଜ୍ଞ ଓ ଶ୍ରୀ ରାମକୃଷ୍ଣ ଆଶ୍ରମ, ମ.ରାମପୁରଠାରେ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ୱାମୀ ବିରେଶାନନ୍ଦ ମହାରାଜ, ଦୁଃଶାସନ ସ୍ୱାଇଁ, ରମେଶ କୁମାର ପାତାଳସିଂହ, ସାରଦା ପ୍ରସନ୍ନ ପରିଜା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
