ପ୍ରହ୍ଲାଦ ମଲିକଙ୍କର ୯୭ତମ ଜୟନ୍ତୀ ଉତ୍ସବ

ମାନବବାଦ ନଥିଲେ ସାମାଜିକ ନ୍ୟାୟ ସମ୍ଭବ ନୁହେଁ
ଭୁବନେଶ୍ୱର,୧୩/୦୧/୨୦୨୬ (ଓଡ଼ିଶା ସମାଚାର)- ଆମକୁ ମାନବ ଧର୍ମରେ ବିଶ୍ୱାସ କରିବାକୁ ହେବ । ମାନବାବଦ ନଥିଲେ ସାମାଜିକ ନ୍ୟାୟ ପ୍ରତିଷ୍ଠା ସମ୍ଭବ ନୁହେଁ । ଯେପର୍ଯ୍ୟନ୍ତ ବ୍ୟବସ୍ଥାରେ ପରବର୍ତନ ନହୋଇଛି ଏବଂ ଲୋକଙ୍କ ଦୃଷ୍ଟିଭଙ୍ଗୀ ନ ବଦଳିଛି ସେପର୍ଯ୍ୟନ୍ତ ଏହି ସାମାଜିକ ନ୍ୟାୟ ବାସ୍ତବ ରୂପ ନେଇପାରିବ ନାହିଁ । ବିଶିଷ୍ଟ ଜନନେତା ପ୍ରହ୍ଲାଦ ମଲିକଙ୍କ ୯୭ତମ ଜୟନ୍ତୀ ଉତ୍ସବ ଓ ‘ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ : ସ୍ୱପ୍ନ ନା ବାସ୍ତବତା’ ଶୀର୍ଷକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଏଭଳି ମତପ୍ରକାଶ ପାଇଛି ।

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଲେ, ସ୍ୱର୍ଗତ ମଲିକଙ୍କ ମାନବବାଦ ଚରିତ୍ର ସଭିଙ୍କ ପାଇଁ ପ୍ରେରଣା ହୋଇ ରହିବ । ସମ୍ମାନିତ ଅତିଥି ପିସିସି ସଭାପତି ଭକ୍ତଚରଣ ଦାସ କହିଲେ ଯେ, ପ୍ରହ୍ଲାଦ ବାବୁ ସାମାଜିକ ନ୍ୟାୟର ପ୍ରତୀକ ଥିଲେ । ସେ ଜଳସେଚନ ମନ୍ତ୍ରୀ ଥିବା ସମୟରେ ରାଜ୍ୟ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାରେ ଅନେକ ସୁଧାର ଆଣିଥିଲେ ।

ସ୍ୱର୍ଗତ ମଲିକ ତୃଣମୂଳସ୍ତରରେ ଥିବା ଗରିବ ନିଷ୍ପେସିତଙ୍କ ସ୍ୱର ପାଲଟିଥିଲେ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ । ମୁଖ୍ୟ ବକ୍ତା ବିଶିଷ୍ଟ ଗାନ୍ଧିବାଦୀ ପ୍ରହ୍ଲାଦ ସିଂହ ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଲେ ଯେ, ଦେଶ ସ୍ୱାଧୀନତାର ୭୮ବର୍ଷ ପରେ ମଧ୍ୟ ଦେଶରେ ସାମାଜିକ ନ୍ୟାୟ ବିପର୍ଯ୍ୟସ୍ତ । ସମ୍ବିଧାନ ଆମକୁ ଯେଉଁସବୁ ମୌଳିକ ଅଧିକାର ଦେଇଛି ତାହା କ୍ଷୁର୍ଣ୍ଣ ହେବାକୁ ଲାଗିଛି । ନ୍ୟାୟ ବ୍ୟବସ୍ଥା ଉପରେ ଆଶା କରିଥିବା ଲୋକଙ୍କ ପାଇଁ ଆମ ସମ୍ବିଧାନକୁ ବଂଚାଇବା ଏକାନ୍ତ କାମ୍ୟ ବୋଲି ସେ କହିଥିଲେ ।

ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦ ଓ ପ୍ରହ୍ଲାଦ ମଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଫେସର ବସନ୍ତ ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାମ୍ବାଦିକ ସୁପ୍ରିୟା ଦାଶଙ୍କୁ ‘ପ୍ରହ୍ଲାଦ ମଲିକ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ଏଥିସହିତ ସୁପ୍ରିୟା ମଲ୍ଲିକଙ୍କ ରଚିତ ‘ବାବାସାହେବ ଆମ୍ବେଦକର’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସଞ୍ଜୟ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *