ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ‘ଦିଶା’ ବୈଠକ ଅନୁଷ୍ଠିତ

ଦେବଗଡ଼ର ବିକାଶ କାମ ହେବ ତ୍ୱରାନ୍ୱିତ, ରାସ୍ତା ଜଳସେଚନ ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ଆମର ଲକ୍ଷ୍ୟଧର୍ମେନ୍ଦ୍ର ପ୍ରଧାନ

• ଦେବଗଡ଼ ଜିଲ୍ଲାରେ ଶିଶୁ ଓ ଛାତ୍ରଛାତ୍ରୀ ପୋଷଣର ସୁରକ୍ଷା ପାଇଁ ହେବ ବ୍ୟାପକ ଜନ-ଅଭିଯାନ
• ‘ଡିଷ୍ଟ୍ରିକ୍ଟ ହାଇଡ୍ରୋଲୋଜି ମ୍ୟାପିଂ’ ମାଧ୍ୟମରେ ଜଳସେଚନ କ୍ଷେତ୍ର ବୃଦ୍ଧି ଉପରେ ଗୁରୁତ୍ୱ
• କନକତୋରାରୁ ରେଙ୍ଗାଳି ରାସ୍ତା ହେବ ସମ୍ପ୍ରସାରଣ, ଟେଲିକମ୍ ଓ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ହେବ
• ଦୁର୍ଘଟଣାମୁକ୍ତ ଯାତାୟାତ ପାଇଁ ଓଭରବ୍ରିଜ୍ ଓ ଭେହିକିଲ୍ ଅଣ୍ଡରପାସ୍ ନିର୍ମାଣ ଉପରେ ଗୁରୁତ୍ୱ

ଦେବଗଡ଼, ୧୬/୦୯/୨୦୨୬ (ଓଡ଼ିଶା ସମାଚାର)- ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି (‘ଦିଶା’) ବୈଠକରେ ଯୋଗଦେଇ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ପ୍ରଗତି ଓ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସହ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜିଲ୍ଲାର ନବଜାତ ଶିଶୁ ଠାରୁ ୧୮ ବର୍ଷ ବୟସର ପ୍ରାୟ ୭୫ ହଜାର ଶିଶୁ ଓ କିଶୋର-କିଶୋରୀଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ। ସେମାନଙ୍କୁ ସଠିକ୍ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଜିଲ୍ଲାରେ ଏକ ବ୍ୟାପକ ‘ଜନ-ଅଭିଯାନ’ ଆରମ୍ଭ କରାଯିବ। ସେହିପରି କୃଷିର ଉନ୍ନତି ଓ ଜଳସେଚିତ ଜମିର ପରିମାଣ ବୃଦ୍ଧି ପାଇଁ ‘ଡିଷ୍ଟ୍ରିକ୍ଟ ହାଇଡ୍ରୋଲୋଜି ମ୍ୟାପିଂ’ ଏବଂ ବିଭିନ୍ନ ଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି।

ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ଭାରତ ସରକାରଙ୍କ ଏନଏଚଏଆଇ ପକ୍ଷରୁ କନକତରାରୁ ରେଙ୍ଗାଳି ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଚାରି ଲେନ୍ କରାଯିବ । ଏହାସହ ଦେବଗଡ଼ ସହରର ବିର୍ସା ମୁଣ୍ଡା, ଆମ୍ବେଦକର ଓ ସର୍କଟ୍ ହାଉସ୍ ଛକରେ ଦୁର୍ଘଟଣାମୁକ୍ତ ଯାତାୟାତ ପାଇଁ ଓଭରବ୍ରିଜ୍ ଓ ଭେହିକିଲ୍ ଅଣ୍ଡରପାସ୍ ନିର୍ମାଣ ନେଇ ଏନଏଚଏଆଇକୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ଡିଜିଟାଲ୍ କନେକ୍ଟିଭିଟି କ୍ଷେତ୍ରରେ ବିଏସଏନଏଲର ୧୦୧ଟି ବର୍ତ୍ତମାନର ଟାୱାର ସହ ନୂତନ ୧୫ଟି ଟାୱାର ଏବଂ ନେଟୱର୍କ ନଥିବା ଅଞ୍ଚଳଗୁଡ଼ିକ ପାଇଁ ନୂଆ ସର୍ଭେ କରି ଟାୱାର ସ୍ଥାପନ କରାଯିବ । ଏହାବ୍ୟତୀତ ବିଦ୍ୟୁତୀକରଣ, ରୋଡ୍ ସେଫ୍ଟି ଏବଂ ତିଳେଇବଣିରୁ ବାରକୋଟ ପର୍ଯ୍ୟନ୍ତ ସର୍ଭିସ୍ ଲେନ୍ ନିର୍ମାଣ ଉପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସ୍ଥାନୀୟ ବିଧାୟକ, ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ନିଜର ସକାରାତ୍ମକ ମତାମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *