ଦାବି ପୂରଣରେ ବିଭାଗୀୟ ଅବହେଳାର ପ୍ରତିବାଦରେ ଜନଜାତି ଛାତ୍ରୀ ନିବାସର ମହିଳା ମାଟ୍ରୋନ୍ ଙ୍କର ବିଶାଳ ଗଣଧାରଣା

ଭୁବନେଶ୍ୱର,୨୯/୦୭/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟି ଆଦିବାସୀ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ ନିରାପତାର ସ୍ଲୋଗାନ ଦେଉଥିବା ବେଳେ ସେହି ଅନୁସୂଚିତ ଛାତ୍ରୀ ନିବାସରେ ଦୀର୍ଘବର୍ଷ ଧରି ସ୍ୱଳ୍ପ ଦରମାରେ ୨୪ ଘଂଟା ଆଦିବାସୀ ଛାତ୍ରୀମାନଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ, ଜୀବନଚର୍ଯ୍ୟାର ଗୁରୁ ଦାୟିତ୍ୱ ବହନ କରିଥିବା ଲେଡି ମାଟ୍ରୋନ୍ ମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନର ଅହେତୁକ ବିଳମ୍ବ, ସେମାନଙ୍କ ପ୍ରତି ହେୟ ଜ୍ଞାନ ଓ ହିଂସ୍ର ଆଚରଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରେ ଅତିଷ୍ଠ ହଜାର ହଜାର ଲେଡି ମାଟ୍ରୋନ୍ ଆଜି ପୂର୍ବ ସୂଚନା ମୁତାବକ ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରତିବାଦ କରି ନ୍ୟାୟ ଦାବି କରିଛନ୍ତି । ଜନଜାତି ବିଭାଗ ବିଦ୍ୟାଳୟ ସମୂହରେ ଅଧ୍ୟୟନରତ ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନ ଚର୍ଯ୍ୟା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ସୁଷମ ଖାଦ୍ୟ ପରିବେଷଣ ପ୍ରଭୃତି ଯାବତୀୟ କାର୍ଯ୍ୟ କରି ଆସୁଥିଲେ ବି ସରକାରୀ କର୍ମଚାରୀମାନେ ପାଉଥିବା ମୌଳିକ ସୁବିଧା ଏମାନଙ୍କୁ ଦିଆଯାଏ ନାହିଁ ।

ଏହି ଲେଡି ମାଟ୍ରୋନ୍ ମାନେ ସରକାର ଓ ବିଭାଗ ଦ୍ୱାରା ପ୍ରଣତି ବିଧି ବ୍ୟବସ୍ଥାରେ ନିଯୁକ୍ତି ପାଇ ଚବିଶ ଘଂଟା ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କୁ ସ୍ଥାୟୀ କରାଯାଉନାହିଁ । ରାଜ୍ୟ ସରକାର ୨୦୨୨ ମସିହା ଅକ୍ଟୋବର-୧୬ ତାରିଖରୁ ରାଜ୍ୟରୁ ଠିକା ବ୍ୟବସ୍ଥା ଉଚ୍ଛେଦ କରିସାରିଥିଲେ ମଧ୍ୟ ଜନଜାତି ଛାତ୍ରୀ ନିବାସର ମହିଳା ମାଟ୍ରୋନ୍ମାନଙ୍କୁ ଛଅ ବର୍ଷରୁ ଊଦ୍ଧ୍ୱର୍ ସମୟ କାର୍ଯ୍ୟ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ କଲେ ନାହିଁ । ଶ୍ରମ ବିଭାଗର ନିର୍ଦ୍ଧେଶ ପରେ ଇପିଏଫ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ସେହିପରି ଛାତ୍ରୀ ନିବାସରେ କ୍ୱାର୍ଟର, ମଧ୍ୟାହ୍ନଭୋଜନ ସୁବିଧା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ କରାଯାଇନାହିଁ ।

ଆଦର୍ଶ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ ମାନଙ୍କରେ ଲେଡି ମାଟ୍ରୋନ୍ ମାନଙ୍କ ପରି ସମାନ ପ୍ରାପ୍ୟ ସମାନ କାର୍ଯ୍ୟସାରଣୀ, ସମାନ ସୁବିଧା ପାଇଁ ବହୁ ଦାବି କରାଯାଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଛି । ଅତୀତରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ତତ୍କାଳୀନ ଶାସନ ସଚିବ ସଂଘର କର୍ମକର୍ତାଙ୍କ ସହ ଆଲୋଚନା କରି ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଅସହ୍ୟ ଆର୍ଥିକ ଓ ସାମାଜିକ ଦୂରାବସ୍ଥା, ଛାତ୍ରୀ ନିବାସର ପରିଚାଳନାରେ ଭେଦଭାବ, ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଛୁଟି ପ୍ରଦାନ ଓ ମଞ୍ଜୁର କରିବାରେ ନାନା କାରସାଦିର ସମାଧାନ ନିମନ୍ତେ ବାରମ୍ବାର ଦାବି ପରେ କୌଣସି ସୁଫଳ ନ ମିଳିବାରୁ ହଜାର ହଜାର ମହିଳା ମାଟ୍ରୋନ୍ ମାନଙ୍କ ନ୍ୟାୟ ସଙ୍ଗତ ୬ ଦଫା ଦାବି ଯଥା – (୧) ଦୀର୍ଘ ଓ ନିରନ୍ତର ସନ୍ତୋଷଜନକ ସେବାକୁ ବିଚାରକୁ ନେଇ ସମସ୍ତ ଚୁକ୍ତିଭିତିକ ମହିଳା ମାଟ୍ରୋନ୍ମାନଙ୍କୁ ସ୍ଥାୟୀ କରାଯିବା (୨) ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ମାସିକ ସର୍ବନିମ୍ନ ୫୦ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରାଯିବା (୩) ଛାତ୍ରୀ ନିବାସର ହଷ୍ଟେଲ୍ / ଖାଦ୍ୟ ପ୍ରସ୍ତୁତି ପରିଚାଳନା ନିୟମ ଆଧାରରେ ସମସ୍ତ ଲେଡି ମାଟ୍ରୋନ୍ ମାନଙ୍କୁ ପ୍ରଦାନ କରାଯାଉ (୪) ଲେଡି ମାଟ୍ରୋନ୍ ମାନଙ୍କ ଇପିଏଫ୍ ସଂକ୍ରାନ୍ତରେ ଶ୍ରମ ଓ ନିୟୋଜନ ବିଭାଗ କର୍ତୃକ ପ୍ରଦତ ନିର୍ଦ୍ଧେଶାବଳୀର ତୁରନ୍ତ ଅନୁପାଳନ କରାଯିବା (୫) ମହିଳା ମାଟ୍ରୋନ ମାନଙ୍କ ସାମୟିକ ଛୁଟି, କାର୍ଯ୍ୟ କରିବାର ସମୟ ନିଘଂର୍ଟ, ଋତୁଶ୍ରାବ ଜନିତ ସ୍ୱତନ୍ତ୍ର ଛୁଟି ଓ ରୋଷ୍ଟର ଡୁ୍ୟଟି ଇତ୍ୟାଦିରେ ଚାଲୁଥିବା ମନମାନି ବନ୍ଦ କରି ସ୍ୱଳ୍ପ ବେତନଭୋଗୀ ମହିଳା କର୍ମଚାରୀଙ୍କ ପ୍ରତି ମାନବୀୟ ତଥା ସମବେଦନଶୀଳତା ଆଚରଣ ପ୍ରଦର୍ଶନ ପାଇଁ ବିଭାଗୀୟ ସମସ୍ତ ଅଧିକାରୀ ଓ ସମ୍ପୃକ୍ତ ପ୍ରଧାନ ଶିକ୍ଷକ / ଜିଲା ମଙ୍ଗଳ ଅଧିକାରୀମାନଙ୍କୁ ତାଗିତ୍ କରାଯାଉ (୬) ସ୍କୁଲ୍ ପରିସରରେ ସରକାରୀ ବାସଗୃହ ସହ ପୂର୍ବ ପ୍ରତିଶ୍ରୁତି ମୁତାବକ ମଧ୍ୟାହ୍ନ ଓ ରାତ୍ରିଭୋଜନ ପାଇଁ ପ୍ରାବଧାନ କରାଯାଉ ଇତ୍ୟାଦି ଦାବି କୁ ନେଇ ନିଖିଳ ଓଡ଼ିଶା ଲେଡି ମାଟ୍ରୋନ୍ ମହାସଂଘ ପକ୍ଷରୁ ମହିଳା ମାଟ୍ରୋନ୍ମାନେ ରାସ୍ତାକୁ ଆସିଛନ୍ତି ।

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ରାଜ୍ୟ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି ଓ ରାଜ୍ୟ ସଭାପତି ସୁଜାତା ଭୂୟାଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର କାଳ କ୍ଷେପଣ ନୀତି ପରିହାର କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ବୋଲି ସାଧାରଣ ସମ୍ପାଦିକା କୋଇଲି ବେହେରା, ଉପ-ସଭାପତି- ନିରୂପମା ପରିଡ଼ା, ଅସୀମା ସିଂ, ପ୍ରଗତି ସାହୁ, ନର୍ମଦା ରାଉତ, ରୋହିଣି ପରିଚ୍ଛା, ଜିନତମା ନାୟକ, ସୁଷମା ନାୟକ, ଆଶାଲତା ବେହେରା ପ୍ରମୁଖ ଦାବି କରିଛନ୍ତି । ଆନ୍ଦୋଳନ ସ୍ଥଳକୁ ଆସି ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ବିଜୟ ମଲ୍ଲ, ହେମନ୍ତ ବସ୍ତିଆ, ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର, ସାମାଜିକ କର୍ମୀ ସୁଦର୍ଶନ ଦାସ, ଅଭିଭାବକ ସଂଘ ସଭାପତି ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ ପ୍ରମୁଖ ଉଦ୍ବୋଧନ ଦେଇ ସରକାର ତୁରନ୍ତ ସମାଧାନ କରିବା ପାଇଁ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *