କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ ଓ “ଆଜିର ଓଡ଼ିଶା ଓ ଯୁବସମାଜ” ଶୀର୍ଷକ ଆଲୋଚନାଚକ୍ର

                                      ଯୁବଶକ୍ତି ରାଜନୀତି ଓ ସାମାଜିକ କର୍ତବ୍ୟ ବୁଝିବା ଆବଶ୍ୟକ
ଭୁବନେଶ୍ୱର,୧୨/୦୧/୨୦୨୪ (ଓଡ଼ିଶା ସମାଚାର)-ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ଆଜିର ଓଡ଼ିଶା ଓ ଯୁବ ସମାଜ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୋରାପୁଟ ସାଂସଦ ସପ୍ତିଗିରି ଉଲାକା ଯୁବ ସମାଜର ରାଜନୈତିକ, ସାମାଜିକ ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ମତ ରଖିବା ସହ ଦେଶ ଓ ରାଜ୍ୟର ପ୍ରଗତିରେ ଯୁବଶକ୍ତିର ଭୂମିକାକୁ ନେଇ ଆଲୋକପାତ କରିଥିଲେ । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର କଥାକୁ ମନେ ପକାଇବା ସହ ବର୍ତମାନ ଓଡ଼ିଆ ଜାତିର ସ୍ଥିତିକୁ ନେଇ ମତପ୍ରକାଶ କରିଥିଲେ । ଓଡ଼ିଆ ଯୁବ ସମାଜ ଏକତି୍ରତ ହୋଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱର୍ଣ୍ଣିମ ଇତିହାସ ଫେରିପାଇବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ରାଜନୈତିକ ସମାଜ ପ୍ରତି ଯୁବକମାନଙ୍କ କର୍ତବ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବର୍ତମାନ ସ୍ଥିତିରେ ରାଜନୈତିକ ସମାଜରେ ସଂସ୍କାରର ଆବଶ୍ୟକତା ରହିଛି ଓ ଏହା ସୁଧାର କେବଳ ଯୁବ ସମାଜର ପ୍ରଚେଷ୍ଟା ଦ୍ୱାରା ସମ୍ଭବ ବୋଲି ସେ କହିଥିଲେ ।
କ୍ରାନ୍ତିକାରୀ ଫାଉଣ୍ଡେସନର ଅଧ୍ୟକ୍ଷ ନଳିନୀକାନ୍ତ ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଓ ସଂଗଠନର ଲକ୍ଷ୍ୟ ଉପରେ ମତପୋଷଣ କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ରାଜନୈତିକ ସଚେତନତା ଦିଗରେ ଯୁବ ସମାଜ କାମ କରିବାକୁ ଆହ୍ୱାନ ଦେଇଥିଲେ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଲୋଚନା ମାଧ୍ୟମରେ ଅନେକ ବିଷୟର ମୂଲ୍ୟାଙ୍କନ କରାଯାଇ ଏକ ସୁସ୍ଥ ଗଣତନ୍ତ୍ର ଗଠନ ହୋଇପାରିବ ବୋଲି ସେ କହିଥିଲେ । ଯୁବ ସମାଜ ସମୟର ସଦୁପଯୋଗ କରିବା ଓ ଉଚ୍ଚତା ଅନୁଯାୟୀ ଓଜନ ତତ୍ସହିତ ସୁସ୍ଥ ରହିବାକୁ ଯୁବଶକ୍ତିକୁ ପରାମର୍ଶ ଦେଇଥିଲେ ଭୁବନେଶ୍ୱର ଏମ୍ସ ଅର୍ଥୋପେଡ଼ିକ ବିଭାଗର ମୁଖ୍ୟ ଡଃ ବିଷ୍ଣୁପ୍ରସାଦ ପାତ୍ରୋ । ଯୁବ ଉଦ୍ୟୋଗୀ ଡଃ ନଳିନୀକାନ୍ତ ମିଶ୍ର ଯୁବସମାଜକୁ ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଓ ସଫଳତାର ମନ୍ତ୍ର ଦେଇଥିଲେ । ସମାଜସେବୀ ଲିଲି ଜେନାମଣି ନିଶାମୁକ୍ତ ସମାଜ ଓ ଯୁବ ସମାଜକୁ ନିଶା ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିବିଶେଷମାନଙ୍କୁ ଓ ସମାଜ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀ, ଯୁବଉଦ୍ୟୋଗୀ, ଚଳଚ୍ଚିତ୍ର ତାରକା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶିଷ କୁମାର ରାଉତ, ମୀର ଅହମ୍ମଦ ଅଲ୍ଲୀ, ତାପସ ଦେ, ବିଶ୍ୱରଞ୍ଜନ ଦାସଙ୍କ ସମେତ ସଂଗଠନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *