ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଯାଇ ପ୍ରକଳ୍ପକୁ ଠିକ୍ ସମୟରେ କରାଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଯେପରି ଠିକ୍ ସମୟରେ କାର୍ଯ୍ୟକାରି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରି ବେଦାନ୍ତ ରାଜ୍ୟରେ ଏକ ବୃହତ୍ ପୁଞ୍ଜିନିବେଶକାରୀ ଭାବେ ପରିଗଣିତ ହେଉଛି।
ରାୟଗଡ଼ା ଜିଲ୍ଲାରେ ୬୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନେରୀ, ଢେଙ୍କାନାଳ ଜିଲ୍ଲାରେ ୩୦ ଲକ୍ଷ ଟନ୍ ବିଶିଷ୍ଟ ଆଲୁମିନିୟମ୍ ସ୍ମେଲ୍ଟର ଏବଂ ୬୦୦୦ ମେଗାୱାଟ୍ ବିଶିଷ୍ଟ ବିଦ୍ୟୁତ୍ ପ୍ରକଳ୍ପ, ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ, କୋଇଲା ଏବଂ ବକ୍ସାଇଟ୍ ସମନ୍ୱିତ ଶିଳ୍ପ ଇତ୍ୟାଦି ବେଦାନ୍ତ ପକ୍ଷରୁ ଓଡ଼ିଶାରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି ।
ଏହି ସମସ୍ତ ପ୍ରକଳ୍ପ ମିଳିତ ଭାବେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ। ଏରୋସ୍ପେସ୍, ଇଲେକ୍ଟ୍ରିକ୍ ଭେହିକିଲ୍ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ର ପାଇଁ ଅତ୍ୟାଧୁନିକ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବେଦାନ୍ତ ଏହାର ସ୍ମେଲ୍ଟର ନିକଟରେ ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ ସ୍ଥାପନ କରିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଓଡ଼ିଶା ବିଶ୍ୱର ସବୁଠାରୁ ବଡ଼ ଆଲୁମିନିୟମ୍ ଉତ୍ପାଦନ ହବ୍ ଭାବରେ ପରିଚୟ ସୃଷ୍ଟି କରିପାରିବ । ଏହାଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ହଜାର ହଜାର ନୂତନ ଏମ୍ଏସ୍ଏମ୍ଇ (MSME) ସୃଷ୍ଟି ହୋଇପାରିବ।
ଢେଙ୍କାନାଳରେ ବିଦ୍ୟୁତ୍ ପ୍ରକଳ୍ପ ଓ ସ୍ମେଲ୍ଟର ଏବଂ ରାୟଗଡ଼ାରେ ଆଲୁମିନା ରିଫାଇନେରୀ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ କରାଯାଇଛି। ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ ମଧ୍ୟ ଠିକ୍ ଭାବେ ଚାଲିଛି । କମ୍ପାନୀର ନୂତନ କୋଇଲା ବ୍ଲକ ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ, ଏହାର ଆଗାମୀ ବକ୍ସାଇଟ୍ ଖଣି ନିକଟରେ ଏକ ପ୍ରସ୍ତାବିତ ରେଳ ସଂଯୋଗକୁ ମଧ୍ୟ ରେଳ ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁରୀ ପ୍ରଦାନ କରାଯାଇଛି।
ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବେଦାନ୍ତର ଏହି ପୁଞ୍ଜିନିବେଶ ଆମ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ବେଦାନ୍ତର ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରାଯାଇ ଠିକ୍ ସମୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନିଆଯିବ । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ଆମର ଯାତ୍ରାକୁ ଏହି ସବୁ ପ୍ରକଳ୍ପ ଗୁଡ଼ିକ ଆହୁରି ତ୍ୱରାନ୍ୱିତ କରିବ। ଏହା ବିଶେଷ କରି କେନ୍ଦ୍ରୀୟ ଏବଂ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଏବଂ ଭିତ୍ତିଭୂମିର ବିକାଶକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରକଳ୍ପର ଅଗ୍ରଗତି ଉପରେ ନିଜର ମତ ରଖି ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ କହିଥିଲେ ଯେ, ଆମର ଆଗାମୀ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଅର୍ଥନୀତି ଉପରେ ଏକ ବଡ଼ ପରିବର୍ତ୍ତନ ଆଣିବ, ଯାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଶକ୍ତିଶାଳୀ କରିବ ଏବଂ ଏକ ଭବିଷ୍ୟତ-ଉପଯୋଗୀ ଶିଳ୍ପ ହବ୍ ଗଠନ କରିବାରେ ସହାୟକ ହେବ। ସରକାରଙ୍କ ସହଯୋଗ ପାଇଁ ଶ୍ରୀ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଓଡ଼ିଶାର ପ୍ରଗତିରେ ଜଣେ ଦୃଢ଼ ସହଭାଗୀ ଭାବରେ ରହିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ।
ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସହିତ ବେଦାନ୍ତ ଗ୍ରୁପ୍ର ଅଧିକାରୀମାନେ ଉପସ୍ଥିତ ଥିଲେ ।
