ଜଗତସିଂହପୁର,୨୭/୦୮/୨୦୨୬ (ଓଡ଼ିଶା ସମାଚାର)-ପବିତ୍ର ରକ୍ଷାବନ୍ଧନ ଅବସରରେ ସାଇ ଜ୍ଞାନ ପ୍ଲେ ସ୍କୁଲର କୁନି କୁନି ଶିଶୁମାନେ ଜଗତସିଂହପୁରର ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ଅତୁଳନୀୟ ସେବା ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇଛନ୍ତି। ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଏହି ନିଆରା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପୂର୍ବକ ପୋଲିସ ଅଧିକାରୀମାନଙ୍କୁ ସମ୍ମାନ ଜଣାଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିବ୍ୟ ରଞ୍ଜନ ନାଥ, ସଦର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଇନ୍ସପେକ୍ଟର ଏମ୍.ଡି. ସୁରଜ, ଙ୍କ ସହ ଥାନା ଅଧିକାରିଣୀ ତପସ୍ୱିନୀ କାନୁନଗୋ , ଏସ୍.ଆଇ. ବ୍ରହ୍ମାନନ୍ଦ ପଣ୍ଡା, ମିତ୍ରଭାନୁ ଓଝା, ଏ.ଏସ୍.ଆଇ. ପ୍ରଫୁଲ୍ଲ ସାହୁ, ବନିଆ ପ୍ରଧାନ ଓ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କ ହାତରେ ଶିଶୁମାନେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ।
ସମାଜ ପ୍ରତି କୃତଜ୍ଞତା: ସମାଜରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖୁଥିବା ପୋଲିସ ଭାଇ-ଭଉଣୀମାନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପ୍ରକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଶିଶୁମାନଙ୍କ ସ୍ନେହପୂର୍ଣ୍ଣ ବ୍ୟବହାରରେ ପୋଲିସ ଅଧିକାରୀମାନେ ଭାବବିହ୍ୱଳ ହୋଇ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହିପରି ପ୍ରୟାସ ଶିଶୁମାନଙ୍କ ମନରେ ସମାଜ ପ୍ରତି ଦାୟିତ୍ୱବୋଧ, ସମ୍ମାନ ଓ ସୁରକ୍ଷାର ଭାବନା ଜାଗ୍ରତ କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।
ଏହି ସ୍ନେହପୂର୍ଣ୍ଣ ଆୟୋଜନକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଉଚ୍ଚ ପ୍ରଶଂସା କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
