ଜୀବନର ଲକ୍ଷସ୍ଥଳରେ ପହଂଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ୟମ – ରାଜ୍ୟପାଳ

ଭୁବନେଶ୍ୱର,୦୫/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜୀବନର ଲକ୍ଷସ୍ଥଳରେ ପହଂଚିବା ପାଇଁ ଶିକ୍ଷା ହିଁ ବଳିଷ୍ଠ ମାଧ୍ୟମ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ନଭେମ୍ବର ୫ ତାରିଖ ଦିନ ରାଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ୧୭ତମ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଯୁବ ପ୍ରତିନିଧିଙ୍କ ସହ ଭାବ ବିନିମୟ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏତଦ୍‌ବ୍ୟତୀତ ଜନଜାତି ଯୁବକମାନେ ସେମାନଙ୍କର ଅଧିକାର, ଦାୟିତ୍ୱ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା ବିଷୟରେ ଅବଗତ ରହିବାକୁ ଆହ୍ୱାନ ଜଣାଇଛନ୍ତି ।  “ମେରା ଯୁବା ଭାରତ” ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଗୃହ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ  ହେଉଥିବା “୧୭ତମ ଜନଜାତି ଯୁବ ବିନିମୟ” କାର୍ଯ୍ୟକ୍ରମରେ ଏହି ଗ୍ରୁପରେ ଉପରୋକ୍ତ ୫ଟି ରାଜ୍ୟର ୨୦୦ ଯୁବ ପ୍ରତିନିଧି ସାମିଲ ହୋଇଛନ୍ତି ।

ଯୁବ ପ୍ରତିନିଧିମାନଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିବା ଅବସରରେ ସେମାନଙ୍କର ଶିକ୍ଷା, ଭବିଷ୍ୟତ ଲକ୍ଷ ସଂପର୍କରେ ପଚାରି ବୁଝିବା ସହ ଏ ଦିଗରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ରାଜ୍ୟପାଳ କହିବା ସହିତ ଏସବୁ ଯୋଜନା ବିଷୟରେ ଭଲଭାବେ ସଚେତନ ହେଲେ ସେମାନେ ଏହା ଦ୍ୱାରା ଲାଭାନ୍ୱିତ ହେବେ ବୋଲି ରାଜ୍ୟପାଳ କହିଥିଲେ । ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ ଯୁବ ପ୍ରତିନିଧିମାନେ ଅବଗତ ଅଛନ୍ତି କି ନାହିଁ ରାଜ୍ୟପାଳ ପଚାରି ବୁଝିଥିଲେ ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସଂପର୍କରେ ଆଲୋଚନା କରି ଏହି ଯୋଜନା ଅଧିନରେ ଅତି ସ୍ୱଳ୍ପ ପ୍ରିମିୟମରେ କିପରି ପରିବାର ଉପକୃତ ହୋଇଥାଏ ତାହା ଅବତାରଣା କରି ଏ ଦିଗରେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବାକୁ ରାଜ୍ୟପାଳ କହିଥିଲେ । ଯେଉଁ ଯୁବକଯୁବତୀମାନେ ଚାକିରୀ ନକରି ନିଜେ ବିକଳ୍ପ ଧନ୍ଦା କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ମୁଦ୍ରା ଯୋଜନାରେ କିପରି ଯୁବକଯୁବତୀ ଋଣ ପାଇ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ ସେ ସଂପର୍କରେ ରାଜ୍ୟପାଳ ମାର୍ଗଦର୍ଶନ କରିଥିଲେ । ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ କର୍ମ ସଂସ୍ଥାନ ସୃଷ୍ଟି କରିବା ନିମନ୍ତେ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ ।

ଏତଦ୍‌ବ୍ୟତୀତ ବୈଷୟିକ ଜ୍ଞାନ କୌଶଳ, ସାଇବର ଅପରାଧ ନିରାକରଣ ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସଚେତନ ହୋଇ ଅନ୍ୟମାନଙ୍କୁ ସେଚତନ କରାଇପାରିଲେ ନିଜେ ତଥା  ସମାଜର ପ୍ରଭୁତ ଉନ୍ନତି ହୋଇ ପାରିବ ବୋଲି  ରାଜ୍ୟପାଳ କହିଥିଲେ । ଏତଦ୍‌ବ୍ୟତୀତ ଯୁବ ପ୍ରତିନିଧିମାନେ ମଧ୍ୟ ନିଜ ଅଭିଜ୍ଞତା ବାଂଟିଥିଲେ । ରାଜ୍ୟପାଳ ସେମାନଙ୍କ ସହିତ ଭାବ ବିନିମୟ କରି ଆନନ୍ଦ ପ୍ରକାଶ କରିଥିଲେ ଏବଂ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସିଆରପିଏଫ୍ ଡିଆଇଜି ଭରତ ଭୂଷଣ ସେଠୀ, ‘ମେରା ଯୁବା ଭାରତ’ ଓଡ଼ିଶା ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ଖରାଟ, ଡେପୁଟି ଡିରେକ୍ଟର ଶକ୍ତି ସ୍ୱରୁପ ସିଂହ ମଂଚାସୀନ ଥିଲେ । ଡିଷ୍ଟ୍ରିଟ ୟୁଥ ଅଫିସର ଖୋର୍ଦ୍ଧା ନିଖିଲ୍ କୋକୁଲ୍ଲା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

-0-

ସଂଜୀବ ବାରିକ , ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *