ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭାଗ ପରିଦର୍ଶନ ଓ ବିଭାଗୀୟ ସମୀକ୍ଷା

                                          ଖାଦ୍ୟ ସୁରକ୍ଷା ନୀତିକୁ ଗୁରୁତ୍ୱ – ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର, ୨୦/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ବିଭାଗ ପରିଦର୍ଶନ କରି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ଶାସନ ସଚିବ ଶ୍ରୀ ଭି. ଭି. ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ମହମ୍ମଦ କୁଆମରୁଲ ହକ୍‌ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭାଗର ବିଭିନ୍ନ ଯୋଜନା, ଖାଦ୍ୟ ସୁରକ୍ଷା ନୀତି, ଖାଦ୍ୟଶସ୍ୟ କ୍ରୟବିକ୍ରୟ, ମଣ୍ଡି ପରିଚାଳନା, ଶୀତଳଭଣ୍ଡାର, ମାପଦଣ୍ଡ ମାନକ, ପିଡ଼ିଏସ ପ୍ରକ୍ରିୟା ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ । କୃଷକ ଓ ଖାଉଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ସହ ମଣ୍ଡିର ସୁପରିଚାଳନାକୁ ସର୍ବଦା ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ ।

ରାଜ୍ୟରେ ଖାଦ୍ୟ ସୁରକ୍ଷା ନୀତିକୁ ଲାଗୁ କରିବା ସହ ଅତ୍ୟାବଶକ ସାମଗ୍ରୀର ବଜାର ବିଶ୍ଳେଷଣ ଓ ବଜାରଦର ତଦାରଖ ନିୟମିତ ବ୍ୟବଧାନରେ କରାଯିବ ଏବଂ ଖାଦ୍ୟର ଗୁଣବତ୍ତାକୁ ପ୍ରାଧାନ୍ୟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ଶହେ ଦିନର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେ କହିଥିଲେ । ବୈଠକରେ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *