ଓଇଆରସିରେ ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପିକେ ଜେନା

ଭୁବନେଶ୍ୱର,୨୯/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ ବା ଓଇଆରସି ର ନୂଆ ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା (ଆଇଏଏସ ରିଟାୟାର୍ଡ଼) ନିଯୁକ୍ତି ପାଇଛନ୍ତି । ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ରଙ୍କ ପରେ ଏହି ପଦ ଖାଲି ପଡ଼ିଥିଲା । ଶକ୍ତି ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରଦୀପ ଜେନା ହେଉଛନ୍ତି୧୯୮୯ ବ୍ୟାଚ୍ ର ଆଇଏଏସ୍ । ୨୦୨୩ ମସିହା ଫେବ୍ରୁଆରୀ ୨୬ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେହିବର୍ଷ ଡିସେମ୍ବରରେ ତାଙ୍କର ଚାକିରି କାଳ ସରୁଥିଲା । ମାତ୍ର ସରକାର ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଚାକିରିକୁ ୬ ମାସ ବୃଦ୍ଧି କରିଥିଲେ ।

୨୦୨୪ ଜୁନ୍ ୩୦ରେ ଶ୍ରୀ ଜେନା ଚାକିରିରୁ ଅବସର ଗ୍ରହଣ କରିଥିଲେ । ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ପ୍ରଦୀପ ଜେନାଙ୍କର ଶକ୍ତି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି । ଦୀର୍ଘ ଦିନ ଧରି ସେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ନିଜର କାର୍ଯ୍ୟଦକ୍ଷତା ପାଇଁ ସେ ବହୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୧୯୯୧ରେ ପ୍ରଥମେ ସେ କଳାହାଣ୍ଡି ଜିଲାର ଧର୍ମଗଡ଼ର ଉପଜିଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପରେ କଳାହାଣ୍ଡିରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଓ ଜିଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଶ୍ରୀ ଜେନା ବଦଳି ହୋଇ କେନ୍ଦ୍ରାପଡ଼ା ଓ କଟକ ଜିଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । କୃଷି ନିର୍ଦ୍ଧେଶକ ପଦରେ ଥିବା ସମୟରେ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେହିପରି କୋଭିଡ୍ ମହାମାରୀ ସମୟରେ ସ୍ୱତନ୍ତ୍ର ରିଲିଫ୍ କମିସନର ଏବଂ ଏହା ପରେ ମୁଖ୍ୟ ଶାସନ ସଚିବ ପଦରେ ଆସୀନ ରହି ଶ୍ରୀ ଜେନା ଗୁରୁଦାୟିତ୍ୱ ତୁଲାଇଥିଲେ ।
ଶ୍ରୀ ଜେନା ଓଇଆରସି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ଠାରୁ ବିଦ୍ୟୁତ ଉପଭୋକ୍ତାମାନେ ସୁଫଳ ପାଇବେ ବୋଲି ସାଧାରଣରେ ଆଶା ବ୍ୟକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *