ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଓବିସି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିବାକୁ ସମାଜବାଦୀ ପାର୍ଟି ର ଦାବି

 ଭୁବନେଶ୍ୱର,୦୬/୧୨/୨୦୨୩ (ଓଡ଼ିଶା ସମାଚାର)-ଦେଶର ପ୍ରଥମ ଆଇନମନ୍ତ୍ରୀ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କର ୬୭ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ରାଜ୍ୟରେ ଓବିସି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଆଜି ବାବା ସାହେବଙ୍କ ଶ୍ରାଦ୍ଧ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦଳର କର୍ମକର୍ତାମାନେ ବାବା ସାହେବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସମାରୋହରେ ଯୋଗଦେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଥିଲେ ଯେ, ବାବା ସାହେବ ବଂଚିତ ଶୋଷିତ ଶ୍ରେଣୀ ପାଇଁ ଆଜୀବନ ସଂଗ୍ରାମ କରିଯାଇଛନ୍ତି । ଦେଶର ନାଗରିକମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ସେ ସମସ୍ତଙ୍କୁ ଏକ ଗୋଟିଏ ବ୍ୟକ୍ତି ଗୋଟିଏ ଭୋଟ ଅଧିକାର ସମ୍ବିଧାନରେ ପ୍ରଦାନ କରିଥିଲେ । କିନ୍ତୁ ଦୁଃଖର କଥା ଆଜି ଇଭିଏମ୍ ହ୍ୟାକ କରାଯାଇ ସେହି ଗଣତାନ୍ତ୍ରିକ ଅଧିକାରକୁ ଅପହରଣ କରାଯାଉଛି । ଆଗାମୀ ଦିନରେ ଇଭିଏମ୍ ହିଁ ବାଲାଟ ପେପରରେ ଭୋଟ କରିବାକୁ ଶ୍ରୀ ବେହେରା ଦାବି କରିଥିଲେ । ସେହିଭଳି ରାଜ୍ୟ ପଛୁଆବର୍ଗ କମିଶନ ବିଗତ ୩ ମାସ ହେଲା ସରକାରଙ୍କୁ ଓବିସି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ନକରିଥିଲେ ସୁଦ୍ଧା ଏହା ପ୍ରକାଶ ନ ପାଇବା ଗଭୀର କ୍ଷୋଭର ବିଷୟ ବୋଲି ସେ ମତ ଦେଇଥିଲେ । ଫଳରେ ଓଡ଼ିଶାର ୫୪ଭାଗ ପଛୁଆବର୍ଗଙ୍କ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କର ସାମ୍ବିଧାନିକ ହକ ପଛୁଆବର୍ଗ ସଂରକ୍ଷଣରୁ ବଂଚିତ ହେଉଛନ୍ତି । ତୁରନ୍ତ ଏହି ରିପୋର୍ଟ ପ୍ରକାଶ କରି ଓବିସିବର୍ଗଙ୍କୁ ରାଜ୍ୟରେ ସଂଖ୍ୟାନୁପାତିକ ସଂରକ୍ଷଣ ନଦେବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ବରିଷ୍ଠ ନେତା ବିଜୟ ବେହେରା, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ନରେନ୍ଦ୍ରନାଥ ପଣ୍ଡା ଓ ଭିକାରୀ ସେଠୀ ପ୍ରମୁଖ ବାବା ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବାବା ସାହେବଙ୍କ ନାରା ‘ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର’ ଆହ୍ୱାନକୁ ଗ୍ରହଣ କରି ବଂଚିତ ଓ ଶୋଷିତ ଶ୍ରେଣୀ ରାଜ୍ୟରେ ଏକତାବଦ୍ଧ ହୋଇ ସଂଗ୍ରାମର ସଂକଳ୍ପ ନେବାକୁ ଏହି ନେତାମାନେ ଆହ୍ୱାନ ଦେଇଥିଲେ । ସର୍ବଶେଷରେ ନରେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *