ସାଲେପୁର,୨୫/୦୮/୨୦୨୬ (ଓଡ଼ିଶା ସମାଚାର)- ମୁସଲିମ ମହିଳାମାନେ ତିଆରି କରୁଛନ୍ତି ହିନ୍ଦୁ ଦେବାଦେବୀଙ୍କ ବସ୍ତ୍ର ଆଉ ଆଭୂଷଣ । ତାହା ପୁଣି ଆଜି କାଲି ନୁହେଁ ଦୀର୍ଘ ବର୍ଷ ଧରି ନିଷ୍ଟାପର ସହ ଏ କାମ କରିବା ସହିତ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଉଭୟ ହିନ୍ଦୁ ଓ ମୁସଲିମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏଭଳି କରି ଭାଇଚାରା ସୃଷ୍ଟି କରିବା ସହ ପରସ୍ପର ପରସ୍ପରର ଧର୍ମୀୟ ଭାବନା ପ୍ରତି ଥିବା ସମ୍ମାନକୁ ବଜାୟ ରଖିବା ସହିତ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଆଉ ତାହା ସହିତ ସମସ୍ତେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏପରି ଦେଖିବାକୁ ମଳିଛି କଟକ ଜିଲା ସାଲେପୁର ବ୍ଲକର ମିର୍ଜାପୁର ଠାରେ । ଉଭୟ ହିନ୍ଦୁ ଓ ମୁସଲମାନ ମହିଳା ଓ ଯୁବତୀମାନ ମିଳିମିଶି କରୁଛନ୍ତି କାମ ।
ସେମାନେ ହିନ୍ଦୁ ଦେବାଦେବୀଙ୍କ ପାଇଁ ଘାଗରା, ଅନ୍ଟା ଫିତା, ଡୋରୀ, ଆସନ,ମାଣଘେରି, ଘେରି ଓ ପତାକା ଭଳି ସବୁ ବସ୍ତ୍ର ଆଭୂଷଣ ପ୍ରସ୍ତୁତ କରନ୍ତି । ଏଠାରେ ମୁସଲିମ ଓ ହିନ୍ଦୁ ମହିଳା ଓ ଯୁବତୀମାନେ ମିଳିମିଶି କାମ କରନ୍ତି । କପଡା କଟା ଠାରୁ ଆରମ୍ଭ କରି ତିଆରି ଓ ପ୍ୟାକିଂ ପର୍ଯ୍ୟନ୍ତ ସବୁ କାମ ମିଳିମିଶି କରନ୍ତି ଏହି ମହିଳାମାନେ । ଏମାନଙ୍କର ହାତ ତିଆରି ଏହି ବସ୍ତ୍ର ଆଭୂଷଣ ସବୁ ଓଡ଼ିଶାର ବିଭିନ୍ନ ଜିଲାରେ ସେମାନଙ୍କ ନିଜସ୍ୱ ଉଦ୍ୟମରେ ବିକ୍ରି କରିଥାନ୍ତି । ସରକାରଙ୍କ ପକ୍ଷରୁ ସେମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିକ୍ରି କରିବା ପାଇଁ ସୂବ୍ୟବସ୍ଥା କରାଗଲେ ସେମାନେ ଆହୁରି ଅଧିକରୁ ଅଧିକ ଜିନିଷ ପ୍ରସ୍ତୁତ କରି ତାକୁ ବିକ୍ରି କରି ଅଧିକ ଲାଭବାନ ହୋଇ ପାରିବେ ବୋଲି କହିଛନ୍ତି ।
