ବନ୍ୟା ପ୍ରଭାବିତ ଅଞ୍ଛଳରେ ନଳକୂପ ବିଶୋଧନ ଓ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ ତ୍ୱରାନ୍ୱିତ

ଯାଜପୁର,୨୩/୦୮/୨୦୨୬ (ଓଡ଼ିଶା ସମାଚାର)- ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଯାଜପୁର ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଛଳଗୁଡ଼ିକରେ ପାନୀୟ ଜଳ ଉତ୍ସ ଓ ନଳକୂପଗୁଡ଼ିକର ବିଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ବନ୍ୟାଜଳ ନଳକୂପ ଓ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସରେ ପ୍ରବେଶ କରିଥିବା ସମ୍ଭାବନା ଥିବାରୁ ବିଭାଗୀୟ ଟିମ୍‌ ପକ୍ଷରୁ ନଳକୂପଗୁଡ଼ିକର ବିଶୋଧନ ସହିତ ପାନୀୟ ଜଳର ଗୁଣବତ୍ତା ମଧ୍ୟ ଯାଞ୍ଚ କରାଯାଉଛି। ଜଳ ଉତ୍ସଗୁଡ଼ିକର ସ୍ୱଚ୍ଛତା ଓ ନିରାପତ୍ତା ଯାଞ୍ଚ କରାଯିବା ସହ ଆବଶ୍ୟକସ୍ଥଳେ ଉପଯୁକ୍ତ ବିଶୋଧନ ପ୍ରକ୍ରିୟା ଅନୁସରଣ କରାଯାଉଛି।

ବନ୍ୟା ପରବର୍ତ୍ତୀ ସମୟରେ ଦୂଷିତ ଜଳ ଯୋଗୁଁ ଜଳବାହିତ ରୋଗର ଆଶଙ୍କା ରହିଥିବାରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ବନ୍ୟା ପ୍ରଭାବିତ ଅଞ୍ଛଳରେ ନିରାପଦ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଜଳ ଉତ୍ସଗୁଡ଼ିକର ନିରନ୍ତର ନିରୀକ୍ଷଣ, ବିଶୋଧନ ଓ ଜଳର ଗୁଣବତ୍ତା ଯାଞ୍ଚ କାର୍ଯ୍ୟ ଜାରି ରହିବ।

ଜନସାଧାରଣଙ୍କୁ ବନ୍ୟା ପରେ କୌଣସି ଅସୁରକ୍ଷିତ କିମ୍ବା ସନ୍ଦେହଜନକ ଜଳ ଉତ୍ସର ପାଣି ବ୍ୟବହାର ନକରି, ବିଶୁଦ୍ଧ ଓ ନିରାପଦ ପାନୀୟ ଜଳ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ନୂତନ ସ୍ଥିତି ରିପୋର୍ଟ ଅନୁଯାୟୀ, ଜିଲ୍ଲାର ୧୦ ଟି ବ୍ଲକ୍‌ର ୧୨୩ ଟି ଗ୍ରାମ ପଞ୍ଚାୟତ ଓ ୪୦୫ ଟି ଗାଁର ପ୍ରାୟ ୪,୩୪,୬୩୨ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତରାପଦା ପଞ୍ଚାୟତର ପାଟଣା ଗାଁ ନିକଟ କାଣୀ ନଦୀ ଏବଂ ଜରୀ ପଞ୍ଚାୟତର ନଉବାଙ୍କ ନିକଟ ବୈତରଣୀ ନଦୀର ଘାଇ ଦେଇ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ବ୍ୟାପକ କରାଯାଇ ବର୍ତ୍ତମାନ ସୁଦ୍ଧା ୧,୩୧,୪୯୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୩୬୮ ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ୩୬୩ ଟି ମାଗଣା ରୋଷେଇ ଘର (Free Kitchens) ଜରିଆରେ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ୨ ଟି NDRF, ୩ ଟି ODRAF, ୧୨ ଟି ଅଗ୍ନିଶମ ସେବା ଟିମ୍ ଏବଂ ୧୪ ଟି ବୋଟ୍ ନିୟୋଜିତ ଅଛନ୍ତି, ଯାହା ମାଧ୍ୟମରେ ୩୭୮ ଜଣଙ୍କୁ ଉଦ୍ଧାର କରାଯିବା ସହ ୧୪୧ ଟି ବିଚ୍ଛିନ୍ନ ଗାଁରେ ଜରୁରୀ ସେବା ପହଞ୍ଚାଯାଇଛି।

ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ରିପୋର୍ଟରୁ ପ୍ରକାଶ ଯେ, ଜିଲ୍ଲାରେ ମୋଟ ୨,୬୭୪ ଟି ଟ୍ୟୁବୱେଲ ଓ ପାନୀୟ ଜଳ ଯୋଗାଣ (PWS) ପ୍ରକଳ୍ପ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧,୫୨୪ ଟି ଟ୍ୟୁବୱେଲକୁ ସମ୍ପୂର୍ଣ୍ଣ ବିଶୋଧିତ କରାଯାଇସାରିଛି। ଏହାସହିତ ବିଚ୍ଛିନ୍ନ ଓ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୱାଟର ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ୧୨ ଟି ମେଡିକାଲ ଟିମ୍ ଓ ୧୮ ଟି କ୍ୟାମ୍ପ ଜରିଆରେ ୧୩,୪୫୮ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ କୌଣସି ନୂଆ ଝାଡ଼ାବାନ୍ତି କିମ୍ବା ଜଳବାହିତ ରୋଗର ବ୍ୟାପକ ସଂକ୍ରମଣ ରେକର୍ଡ ହୋଇନାହିଁ। ଜଳବାହିତ ରୋଗର ମୁକାବିଲା ପାଇଁ ପ୍ରଶାସନ ପାଖରେ ପର୍ଯ୍ୟାପ୍ତ ପରିମାଣର ORS, IV Fluids ଓ ପ୍ରାଥମିକ ଔଷଧ ମହଜୁଦ ରହିଛି।

ଜନସ୍ୱାସ୍ଥ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସମସ୍ତ ପ୍ରକାର ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ୨୪ ଘଣ୍ଟା ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *