ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଆଞ୍ଚଳିକ ସମୀକ୍ଷା ବୈଠକ

#        ଯୋଗ ଦେଲେ ୫ ରାଜ୍ୟର ପଦାଧିକାରୀ ଓ ପ୍ରତିନିଧି

#        ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସଂପର୍କିତ ସମୀକ୍ଷା

ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ କେରଳ ଆଦି ୫ଟି ରାଜ୍ୟକୁ ନେଇ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି।ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ସମୀକ୍ଷା ବୈଠକରେ  ସଂପୃକ୍ତ ବିଭାଗର ଶାସନ ସଚିବ ଶ୍ରୀ ଅମିତ ଯାଦବ ଅଧ୍ୟକ୍ଷତା କରିଥିଲେ। ଏହି ସମ୍ମିଳନୀରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ କୁ ନେଇ ବିଭିନ୍ନ ଯୋଜନା ଏବଂ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ  ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ରାଜ୍ୟ ଗୁଡ଼ିକ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଛି।

ଏହି ମଞ୍ଚ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ଆକଳନ କରିବା, ପ୍ରମୁଖ ଆହ୍ୱାନର ମୁକାବିଲା କରିବା ଏବଂ ସମାବେଶୀ ଅଭିବୃଦ୍ଧି ତଥା ସାମାଜିକ ନ୍ୟାୟ ପାଇଁ ନୂତନ ରଣନୀତି ଅନ୍ୱେଷଣ କରିବାର ସୁଯୋଗ ପ୍ରଦାନ କରିଛି । ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ କେନ୍ଦ୍ର ସରକାରଙ୍କ ଏହି ବିଭାଗର ଶାସନ ସଚିବ ଶ୍ରୀ ଯାଦବ,ଓଡ଼ିଶା ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜା ସମ୍ବୋଧନ କରିଥିଲେ ଏବଂ ଓଡ଼ିଶାର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର ପରିଚାଳନା କରିଥିଲେ।

ଉଦଘାଟନୀ ଅଭିଭାଷଣରେ, ଏହି କାର୍ଯ୍ୟକ୍ରମ ଆଯ଼ୋଜନ କରିଥିବାରୁ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି ସଂପୃକ୍ତ ବିଭାଗୀୟ ସଚିବ ଶ୍ରୀ ଯାଦବ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରଥମେ ଏହି କାର୍ଯ୍ୟକ୍ରମ ଆଗ୍ରାରେ ଆରମ୍ଭ ହୋଇଥିଲା, ପରେପରେ ଆଞ୍ଚଳିକ ବୈଠକ ଲକ୍ଷ୍ନୌ, ହାଇଦ୍ରାବାଦ ଓ ଜୟପୁରରେ ଆୟୋଜିତ ହୋଇଥିଲା ବୋଲି କହିଥିଲେ ।ଶ୍ରୀ ଯାଦବ କହିଛନ୍ତି, ସାମାଜିକ ନ୍ୟାୟ ଯୋଜନା ଗୁଡ଼ିକ ରାଜ୍ୟ ସ୍ତରରେ କାର୍ଯ୍ୟକାରୀ ହେଉଛି । ତେଣୁ ଫଳପ୍ରଦ କାର୍ଯ୍ୟକାରିତା ପାଇଁ କେନ୍ଦ୍ର ଅଧିକାରୀ ଏବଂ ରାଜ୍ୟ କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି। ସେ ଅନୁସୂଚିତ ଜାତି, ପଛୁଆବର୍ଗ, ଡିନୋଟିଫାଏଡ୍ ଏବଂ ନୋମାଡିକ ଜନଜାତି (ଡିଏନଟି), କିନ୍ନର, ବରିଷ୍ଠ ନାଗରିକ, ପରିମଳ କର୍ମଚାରୀ ଏବଂ ନିଶାଦ୍ରବ୍ୟ ବ୍ୟବହାର ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ବାରୋପ କରିଥିଲେ।

          ଶ୍ରୀ ଯାଦବ ସଶକ୍ତିକରଣର ତିନୋଟି ମୁଖ୍ୟସ୍ତମ୍ଭ- ଶିକ୍ଷା, ସାମାଜିକ ଅନ୍ତର୍ଭୂକ୍ତି କରଣ ଏବଂ ଆର୍ଥିକ ସହାୟତା ବିଷୟରେ କହିଥିଲେ। ଏସସି ଏବଂ ଓବିସି ଛାତ୍ରବୃତ୍ତି, ଆର୍ଥିକ ଅନୁଦାନ ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ ଋଣଭଳି ଯୋଜନା ଅଧୀନରେ ଆର୍ଥିକ ସହାୟତା ର ଉପଲବ୍ଧତା ଉପରେ ସେ ଆଲୋକପାତ କରିଥିଲେ। ନିଶାମୁକ୍ତ ଭାରତ ଅଭିଯାନର କାର୍ଯ୍ୟକାରିତା ମଧ୍ୟ ସମୀକ୍ଷା କରାଯାଇଥିଲା, ଯେଉଁଥିରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହିତ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ପାଣ୍ଠିର ଉପଯୋଗିତା ପ୍ରସଙ୍ଗରେ ସେ ରାଜ୍ୟଗୁଡ଼ିକୁ ଠିକ ସମୟରେ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ‘ପିଏମ-ଅଜୟ’ପଦକ୍ଷେପ ଅଧିନରେ ପାଣ୍ଠିର ସଦୁପଯୋଗ କରିବାକୁ କହିଥିଲେ। କଲ୍ୟାଣ ମୂଳକ ପଦକ୍ଷେପକୁ ସୁବ୍ୟବସ୍ଥିତ କରିବା ପାଇଁ ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ ଏବଂ ଶିକ୍ଷା ଭଳି ବିଭାଗ ଗୁଡ଼ିକ ମଧ୍ୟରେ ଆନ୍ତଃ ରାଜ୍ୟ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ବିଶ୍ୱସ୍ତରୀୟ ହକି ଭିତ୍ତିଭୂମି ଉପରେ ଆଲୋକପାତ କରି କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି । ସେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ମଧ୍ୟ ସ୍ୱୀକାର କରିଥିଲେ, ଯାହା ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।

ମୁଖ୍ୟଶାସନସଚିବ,ଓଡ଼ିଶା ଶ୍ରୀ ଆହୁଜା ତାଙ୍କ ଅଭିଭାଷଣରେ କହିଥିଲେ ଯେ୨୦୧୧ଜନଗଣନା ଅନୁସାରେ ଓଡ଼ିଶାରେ ଅନୁସୂଚିତ ଜାତି ଜନ ସଂଖ୍ୟା ଏହାର ମୋଟ ଜନସଂଖ୍ୟାର ପ୍ରାୟ ୧୭ପ୍ରତିଶତ। ଆୟୋଜିତ ସମ୍ମିଳନୀ ଆମକୁ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ଆକଳନ କରିବା, ପ୍ରମୁଖ ଆହ୍ୱାନର ମୁକାବିଲା କରିବା ଏବଂ ସାମାଜିକ ନ୍ୟାୟପାଇଁ ନୂତନ ରଣନୀତି ଅନ୍ୱେଷଣ କରିବାର ସୁଯୋଗ ପ୍ରଦାନ କରୁଛି ।ସେ କହିଛନ୍ତି, ୨୦୪୭ସୁଦ୍ଧା ବିକାଶିତ ଭାରତର ସ୍ୱପ୍ନ ପୂରଣ କରିବାକୁ ହେଲେ ପଛୁଆ ବର୍ଗ, ଅନୁସୂଚିତ ଜାତି, ଏସଇବିସି ସମ୍ପ୍ରଦାୟ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମନ୍ତେ କଲ୍ୟାଣ ଓ ସଶକ୍ତିକରଣ ଯୋଜନା ପ୍ରସ୍ତୁତ ନେଇ ପ୍ରତିବଦ୍ଧ ହେବାକୁ ହେବ।

ସମସ୍ତ ସ୍ତରରେ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ହେବ ବୋଲି ମୁଖ୍ୟଶାସନସଚିବ ମତ ପ୍ରକାଶ କରିଛନ୍ତି।ଏସସି ସମ୍ପ୍ରଦାୟ ପାଇଁ ସମାନତା ଏବଂ ନ୍ୟାୟ ସୁନିଶ୍ଚିତ କରିବାରେ ନାଗରିକ ଅଧିକାର ସୁରକ୍ଷା (ପିସିଆର) ଅଧିନିୟମ, ୧୯୫୫ ଏବଂ ପ୍ରିଭେନସନ୍ ଅଫ୍ ଆଟ୍ରୋସିଟି ଆକ୍ଟ, ୧୯୮୯ ଭଳି ଆଇନଗତ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଭେଦଭାବ ଦୂର କରିବା ଏବଂ ସାମାଜିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା ଅଭିଯାନ ସହିତ ଏହି ଆଇନ ଗୁଡ଼ିକର କଠୋର କାର୍ଯ୍ୟକାରିତାର ଆବଶ୍ୟକତା ରହିଥିବା ସେ କହିଛନ୍ତି।ସେ ମଧ୍ୟ କଲ୍ୟାଣ ମୂଳକ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେପରିକି ଉନ୍ନତମାନର ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆବାସ ସୁବିଧା, ଯାହାକି ଅବହେଳିତ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏହା ବିକଶିତ ଓଡ଼ିଶାର ପରିକଳ୍ପନା ପାଇଁ ଆବଶ୍ୟକ।

ସେହିପରି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ର ଯୋଗ ଦେଇଥିବା ପ୍ରତିନିଧି ମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ରାଜ୍ୟ ସରକାର ଅନୁସୂଚିତ ଜାତି ସମୁଦାୟ ପାଇଁ ସାମାଜିକ-ଅର୍ଥନୈତିକ ସୁଯୋଗ ବୃଦ୍ଧି କରିବାପାଇଁ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି।ଏହି ସମୀକ୍ଷା ବୈଠକ ଅନୁସୂଚିତ ଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସହିତ ଜଡିତ ପ୍ରମୁଖ ପ୍ରଶାସନିକ ଏବଂ ବୈଷୟିକ ସମସ୍ୟା ଗୁଡ଼ିକୁ ଚିହ୍ନଟ ଏବଂ ସମାଧାନ କରିବା ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦା ନକରିଛି ।

ଆଞ୍ଚଳିକ ସମୀକ୍ଷା ବୈଠକର ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅନ୍ତର୍ଗତ ବିଭିନ୍ନ ଯୋଜନା ଯଥା- ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ ପରବର୍ତ୍ତୀ ବୃତ୍ତି, ପିଏମ-ଯଶସ୍ୱୀ ଯୋଜନା, ପିଏମ-ଅଜୟ ଯୋଜନା, ନ୍ୟାସନାଲ୍ ଆକ୍ସନ ପ୍ଲାନ ଫର ମେକାନାଇଜ୍ଡ଼ି ସାନିଟେସନ ଇକୋ ସିଷ୍ଟମ (ନମସ୍ତେ ଯୋଜନା), ନ୍ୟାସନାଲ ଆକ୍ସନ ପ୍ଲାନ ଫର  ଡ଼୍ରଗ୍ ଡିମାଣ୍ଡ ରିଡକସନ୍ (ଏନଏପିଡିଡିଆର୍), ଅଟଳବୟୋ-ଅଭ୍ୟୁଦୟଯୋଜନା, ପିଏମ-ସୁରଜ୍, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଡିଫେନ୍ସ ଆଦି ବିଷୟରେ ଆଲୋଚନା କରାଯାଇଥିବାବେଳେ ନାଗରିକ ଅଧିକାର ସୁରକ୍ଷା ଆଇନ-୧୯୫୫ଏବଂ ଅତ୍ୟାଚାର ନିବାରଣ ଆଇନ-୧୯୮୯, ଜୀବିକା ଏବଂ ଉଦ୍ୟୋଗ ପାଇଁ ଅବହେଳିତ ସମୁଦାୟଙ୍କୁ ସହାୟତା ପ୍ରଦାନ ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ସମୀକ୍ଷା କରାଯାଇଥିଲା।

ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବାରେ ଏସସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ, ଓବିସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଏବଂ ସଫାଇ କର୍ମଚାରୀ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଭଳି ଆର୍ଥିକ ନିଗମ ଗୁଡ଼ିକର ଭୂମିକାକୁ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା।ଏହା ବ୍ୟତୀତ, ଜାତୀୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ସଚେତନତା ଅଭିଯାନ ଏବଂ ଜାତୀୟ ସାମାଜିକ ସୁରକ୍ଷା ପ୍ରତିଷ୍ଠାନ ଅଧୀନରେ ବିଭିନ୍ନ ପଦକ୍ଷେ ପଉପରେ ଆଲୋଚନା କରାଯାଇଥିଲା।ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ପ୍ରତିନିଧିଙ୍କ ବ୍ୟତୀତ,ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀ ବୃନ୍ଦ, ପିରାମଲ ଫାଉଣ୍ଡେସନ, ଭାରତ ଇନୋଭେସନ ଗ୍ଲୋବାଲ ର ବିଶିଷ୍ଟ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାର ମାନେ ଏହି ଆଞ୍ଚଳିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *