ଭୁବନ ୧୮/୦୮/୨୦୨୬ (ଓଡ଼ିଶା ସମାଚାର ନଗର ବିକାଶ ଆଧାରରେ ପ୍ରତ୍ୟେକ ଛକ ଓ ରାସ୍ତା ଉନ୍ନତିକରଣ କରିବାକୁ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଦାବି କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଦାବି ପତ୍ରରେ କାଉନସିଲର ଶ୍ରୀଯୁକ୍ତ ସାହୁ ଉଲ୍ଲେଖ କରିଛନ୍ତି ଯେ,ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସବୁଠାରୁ ଶିକ୍ଷିତ ଓ ସଚେତନ ୱାର୍ଡ ଭାବେ ପରିଚିତ ୱାର୍ଡ ନଂ ୧ ଗୋଟିଏ ରାଜସ୍ୱ ଗ୍ରାମ ଟୋଲକବେରେଣୀ , ୟୁନିଟ୍ ନଂ ୫ ଓ ଜନସଂଖ୍ୟା ପ୍ରାୟ ୪ ହଜାର ଅଟେ ।
ଭୁବନ ସହରରେ ପରିବାର ବୃଦ୍ଧି ପାଇବା ଓ ଜନ ସଂଖ୍ୟା ଅଧିକ ହେବା କାରଣରୁ ସେମାନଙ୍କ ମଧ୍ୟରୁ କିଛି ପରିବାର ଏହି ମୌଜାରେ ଘର କରି ରହିଲେ । ମାଷ୍ଟର ପ୍ଲାନ ଆଧାରରେ ରାସ୍ତା ଓ ଘର ନିର୍ମାଣ ହୋଇଅଛି । ଏହି ୱାର୍ଡରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ,ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ,ଡାକ ବଙ୍ଗଳା,ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ,ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟଳୟ , ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ,ଦୁଇଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ପ୍ରାଥମିକ ବିଦ୍ୟାଳୟ , ୪ ଟି ଅଙ୍ଗନୱାଡି କେନ୍ଦ୍ର ,ବଡ ବଡ ବାଣିଜ୍ୟ ସ୍ଥଳି (ସପିଙ୍ଗ ମଲ୍) , ୪ଗୋଟି ଜାତୀୟ କରଣ ବ୍ୟାଙ୍କ ଇତ୍ୟାଦି ରହିଅଛି । ଅନ୍ୟ ୱାର୍ଡର ରାସ୍ତା ଠାରୁ ଏହି ୱାର୍ଡର ରାସ୍ତା ଚଉଡା ଅଟେ ।
ସରକାରଙ୍କ ଯୋଜନା ଅନୁଯାୟୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ପାଦଚଲା ରାସ୍ତା, ରାସ୍ତାପାର୍ଶ୍ବ ବୃକ୍ଷ ରୋପଣ , ବିଶ୍ରାମ ଚେୟାର ଆଦି ରହିବାର ଏକମାତ୍ର ଯୋଗ୍ୟ ୱାର୍ଡ ଅଟେ । ବର୍ତ୍ତମାନ ଏହି ୱାର୍ଡର ମୁଖ୍ୟରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ସହ ଜନସଂଖ୍ୟା ବୃଦ୍ଧି, ଗାଡ଼ି ମୋଟର ବୃଦ୍ଧି କାରଣରୁ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଅନୁଯାୟୀ ଏହି ୱାର୍ଡ କୁ ଉନ୍ନତି କରିବା ପାଇଁ କାଉନସିଲର ଶ୍ରୀଯୁକ୍ତ ଗିରିଧାରୀ ସାହୁ ଦାବି କରିବା ସହ ଏହାର ଏକ କପି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।
